ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକ୍କା, ହୁଗୁଳି ଗଲାଣି ରାଜ୍ୟର ଅର୍ଥ ବ୍ୟବସ୍ଥା
1 min readନନ୍ଦିଘୋଷ ବ୍ୟୁରୋ: ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସରକାର ବ୍ୟସ୍ତ ଥିବା ବେଳେ ରାଜ୍ୟର ଅର୍ଥ ବ୍ୟବସ୍ଥା ପ୍ରତି ନିଘା ନାହିଁ । ନବୀନ ସରକାର ସମୟରେ ଶୃଙ୍ଖଳିତ ଅର୍ଥ ପରିଚାଳନା ପାଇଁ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରୁଥିବା ବେଳେ ବିଜେପିର ବର୍ଷକର ସରକାରରେ ସବୁ କିଛି ବିଗିଡ଼ି ଯାଇଛି । ଡବଲ ଇଞ୍ଜିନ ସରକାରରେ ଡବଲ ଲାଭ ବଦଳରେ ଡବଲ କ୍ଷତି ଦେଖିବାକୁ ମିଳିଛି ।କେନ୍ଦ୍ରୀୟ ଅନୁଦାନ କମିଛି, ରାଜ୍ୟର ନିଜସ୍ବ ଟିକସ, ଅଣ ଟିକସ ରାଜସ୍ବ ବି କମୁଛି । ଏହା ସହିତ ବଜେଟ ଅଟକଳ ଖର୍ଚ୍ଚ କରିବାରେ ବି ବିଫଳ ହୋଇଛି ମୋହନ ସରକାର । ଏମିତି ଚାଲିଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଅର୍ଥ ବିଶେଷଜ୍ଞ କହିଥିବା ବେଳେ ଏପରି ଅବସ୍ଥା ପାଇଁ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସମୀକ୍ଷକ କହିଛନ୍ତି ।
ଉତ୍ସବ ପାଳନ ପାଇଁ ବ୍ୟସ୍ତ ସରକାର । ଏପଟେ ହୁଗୁଳି ଗଲାଣି ରାଜ୍ୟର ଅର୍ଥ ବ୍ୟବସ୍ଥା । ରାଜସ୍ବ ସଂଗ୍ରହରେ ଫେଲ ସରକାର, ଖର୍ଚ୍ଚ କରିବାରେ ବି ବିଫଳ । କେନ୍ଦ୍ରୀୟ ଅନୁଦାନ କମୁଛି, ଋଣ ବଢୁଛି । ବିପର୍ଯ୍ୟସ୍ତ ହେଲାଣି ରାଜ୍ୟର ଆର୍ଥିକ ପରିଚାଳନା । ନୀବୀନ ସରକାର ଅମଳରେ ରାଜ୍ୟର ଆର୍ଥିକ ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ, ନୀତି ଆୟୋଗ, କେନ୍ଦ୍ର ସରକାରଠାରୁ ପ୍ରଶଂସା ମିଳୁଥିଲା । ହେଲେ ସରକାର ବଦଳିବା ପରେ ବଦଳିଯାଇଛି ରାଜ୍ୟର ଆର୍ଥିକ ସ୍ଥିତି । ବର୍ଷକର ସରକାରରେ ଭୁଷୁଡ଼ି ପଡ଼ିଛି ଅର୍ଥ ବ୍ୟବସ୍ଥା । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମିଳିଥିଲା ୨୧ ହଜାର ୧୧କୋଟି ଟଙ୍କା । ଯାହା ପୂର୍ବ ବର୍ଷଠାରୁ ୧୫.୪୫ ପ୍ରତିଶତ ଅଧିକ ଥିଲା । ହେଲେ ମୋହନ ସରକାରର ପ୍ରଥମ ବର୍ଷରେ ୨୦୨୪-୨୫ରେ କେନ୍ଦ୍ରୀୟ ଅନୁଦାନ ୧୮.୯୧ ପ୍ରତିଶତ ହ୍ରାସ ପାଇ ୧୭ ହଜାର ୮୯ କୋଟିରେ ପହଞ୍ଚିଛି । କେନ୍ଦ୍ରୀୟ ଅନୁଦାନ କମିବା ସହ ରାଜ୍ୟର ନିଜସ୍ବ ଟିକସ ଓ ଅଣ ଟିକସ ପରିମାଣ ବି କମିଛି । ଅନୁଦାନ ଆଣିବାରେ ଓ ରାଜସ୍ବ ସଂଗ୍ରହରେ ବିଫଳ ହୋଇଥିବା ସରକାର ଖର୍ଚ୍ଚ କରିବାରେ ବି ଆଣ୍ଠେଇଛନ୍ତି ।
କେବଳ କେନ୍ଦ୍ରୀୟ ଅନୁଦାନ କମି ନାହିଁ, ରାଜ୍ୟର ନିଜସ୍ବ ଟିକସ ଓ ଅଣ ଟିକସ ରାଜସ୍ବ ବି କମି ଚାଲିଛି । ୨୦୨୩-୨୪ରେ ନିଜସ୍ବ ଟିକସ ପୂର୍ବବର୍ଷ ଅପେକ୍ଷା ୧୬.୯୧ ପ୍ରତିଶତ ବଢିଥିବା ବେଳେ ୨୦୨୪-୨୫ରେ ମାତ୍ର ୩.୬୫ ପ୍ରତିଶତ ବଢିଛି । ସେହିପରି ଅଣ ଟିକସ କ୍ଷେତ୍ରରେ ୨୦୨୩-୨୪ରେ ପୂର୍ବ ବର୍ଷ ଅପେକ୍ଷା ୨୪.୦୯ ପ୍ରତିଶତ ବଢିଥିବା ବେଳେ ୨୦୨୪-୨୫ରେ ବଢିଛି ମାତ୍ର ୩.୬୬ ପ୍ରତିଶତ । ଖଣି ରାଜସ୍ବରେ ତ ବହୁତ ପଛରେ ରହିଛି । ୨୦୨୩-୨୪ରେ ପୂର୍ବ ବର୍ଷ ଅପେକ୍ଷା ଖଣି ରାଜସ୍ବ ୧୯.୭୬ ପ୍ରତିଶତ ବଢିଥିବା ବେଳେ ଏଥର ୯.୬୯ ପ୍ରତିଶତ କମିଛି । ଆୟ ସବୁଆଡୁ କମୁଥିବା ବେଳେ ଖର୍ଚ୍ଚ କରିବାରେ ବି ଫେଲ ମାରିଛନ୍ତି ସରକାର । ୨୦୨୩-୨୪ରେ ପଞ୍ଚାୟତିରାଜ ବିଭାଗ ୧୬ ହଜାର ୬୮୫ କୋଟି ଖର୍ଚ୍ଚ କରିଥିବା ବେଳେ ୨୦୨୪-୨୫ରେ ଖର୍ଚ୍ଚ ହୋଇଛି ମାତ୍ର ୮ ହଜାର ୨୨୭ କୋଟି । ଏହାସହ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ମିଶନ ଶକ୍ତି ବିଭାଗରେ ମଧ୍ୟ ଖର୍ଚ୍ଚ ପରିମାଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଏହାର ଜବାବ ସରକାର ଦେବାକୁ ପଡ଼ିବ ବୋଲି ସମୀକ୍ଷକ କହିଛନ୍ତି ।