କାଲିଠୁ ଭୁବନେଶ୍ବରେ ଆରମ୍ଭ ହେବ ଡଟ୍ ଫେଷ୍ଟ, ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ହକି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଡଟ୍ ଫେଷ୍ଟ । ଆସିବେ ଜାତୀୟ କଳାକାର । ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ୨୯ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ ଚାଲିବ । ଏଥିରେ ୭୦୦୦ ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି । ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଯେଉଁଥିରୁ ୫ ପ୍ଲାଟୁନ ଟ୍ରାଫିକ ଦାୟିତ୍ୱରେ ରହିବେ । ସେହିପରି ୨ ଜଣ ଅତିରିକ୍ତ ଡିସିପିଙ୍କ ସହ, ୬ଜଣ ଏସିପି, ୫୧ ଜଣ ଆଇଆଇସି ଅଧିକାରୀ ରହିବେ ।

ଡଟ୍ ଫେଷ୍ଟ ପାଇଁ ସିସିଟିଭି ସର୍ଭେଲାନ୍ସରେ ରହିଛି ପୂରା ପ୍ରଦର୍ଶନୀ ପଡ଼ିଆ । ଅପରାଧୀଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଟିମ୍ । ଡଟ୍ ଫେଷ୍ଟ ସମୟରେ ରାମମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସଂଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ୬ଟି ପର୍ଯାୟରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଲୋକମାନେ ଛିଡ଼ା ହୋଇ ଦେଖିବାର ବ୍ୟବସ୍ଥା ହୋଇଛି । କ୍ୟାପିଟାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ହିନ୍ଦୀ ସ୍କୁଲ ଓ ଫୁଟବଲ ଗ୍ରାଉଣ୍ଡରେ ପାର୍କିଂ ହେବ । ମୋ ବସରେ ମାଗଣା ଯାତାୟାତ ସୁବିଧା ହକି ଟିକେଟ ବା ପାସଧାରୀଙ୍କ ପାଇଁ ହୋଇଥିବାରୁ ଗାଡ଼ି ନ ଆଣି ମୋ ବସ୍ ସହଯୋଗ ନେବାକୁ ଅନୁରୋଧ କରିଛନ୍ତି ଡିସିପି ।