ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ, ୬୦ ଲକ୍ଷ ଟଙ୍କା ଜରିମାନା

1 min read
Doranda Treasury Fodder Scam Court Sentence Five Year Jail To Lalu Yadav

ରାଞ୍ଚି: ପୁଣି ଜେଲ୍ ଯିବେ ଲାଲୁ ଯାଦବ । ଡୋରଣ୍ଡା କୋଷାଗାର ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୫ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ସବୁଠାରୁ ବଡ଼ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଏହି ରାୟ ଦେଇଛନ୍ତି । କୋର୍ଟରେ ଜାମିନ୍ ଆବେଦନ କରିବେ ବୋଲି କହିଛନ୍ତି ଲାଲୁଙ୍କ ଓକିଲ ।

ଗୋ-ଖାଦ୍ୟ ଦୁର୍ନୀତିରେ ଡୋରଣ୍ଡା କୋଷାଗାର ସବୁଠୁ ବଡ଼ ମାମଲା ଥିଲା । ଏହି ଗୋ-ଖାଦ୍ୟ ଦୁର୍ନୀତିରେ ଲାଲୁ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶା ଯାଇଥିଲା । ଲାଲୁ ଯାଦବ ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଜାଣତରେ ଏ ଦୁର୍ନୀତି ହୋଇଥିବା ସିବିଆଇ କହିଥିଲା । ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତିର ୪ଟି ମାମଲାରେ ଲାଲୁଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଜେଲ୍ ଯାଇଥିବା ଲାଲୁ ଏବେ ବେଲରେ ଅଛନ୍ତି ।

Doranda Treasury Fodder Scam Court Sentence Five Year Jail To Lalu Yadav

ପ୍ରାୟ ୪୨ ମାସ ଧରି ସଜ୍ଜା କାଟିବା ପରେ ଲାଲୁଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଜାମିନ୍ ଦେଇଥିଲେ ହାଇକୋର୍ଟ । ୧୩୯.୫ କୋଟି ଟଙ୍କାର ଡୋରଣ୍ଡା କୋଷାଗାର ମାମଲାରେ ଲାଲୁ ଓ ଅନ୍ୟ ଅଭିଯୁକ୍ତଙ୍କୁ ଫେବ୍ରୁଆରୀ ୧୫ରେ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ସେତେବେଳେ ସଜା ଘୋଷଣା କରାଯାଇ ନଥିଲା । ଆଜି ଅନଲାଇନରେ କୋର୍ଟ ରାୟ ଶୁଣାଇଥିବା ବେଳେ ଭିଡିଓ କନଫରେନ୍ସିଂର ଯୋଡ଼ି ହୋଇଥିଲେ ଲାଲୁ ଯାଦବ ।

ଡୋରଣ୍ଡା କୋଷାଗାର ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତ ଥିଲେ । ସେଥିରୁ ଏବେ ଯାଏ ୫୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ୭ ଜଣ ସରକାରୀ ସାକ୍ଷୀ ହୋଇଥିବା ବେଳେ ୨ ଜଣ ଦୋଷ ସ୍ୱୀକାର କରିଛନ୍ତି । ଏହାପରେ ଏବେ ୯୯ ଜଣ ଅଭିଯୁକ୍ତ ଥିବାବେଳେ ୨୪ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ ।

Doranda Treasury Fodder Scam Court Sentence Five Year Jail To Lalu Yadav

କେଉଁ ମାମଲାରେ କେତେ ସଜ୍ଜା ?

ଆରଜେଡି ମୁଖ୍ୟ ଲାଲୁ ଯାଦବ ଦୁମକା, ଦେବଘର ଓ ଚାଇବାସା ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯେଉଁଥିରେ ଲାଲୁଙ୍କୁ ପ୍ରାୟ ୧୪ ବର୍ଷ ସଜ୍ଜା ହୋଇଛି । ଚାଇବାସା ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍ ହୋଇଥିବା ବେଳେ ଦେବଘର ମାମଲାରେ ସାଢେ ୩ ବର୍ଷ, ଚାଇବାସା ଦ୍ୱିତୀୟ ମାମଲାରେ ୫ ବର୍ଷ ଓ ଦୁମକା ମାମଲାରେ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

Leave a Reply