ବାଲେଶ୍ବରରେ କାର୍ଯ୍ୟକ୍ଷମ ହେଉନି ଡପଲାର ରାଡ଼ାର

1 min read

ବାଲେଶ୍ବର : ବିଲ ମଝିରେ ଛିଡ଼ା ହୋଇଛି କୋଠା । କୋଠା ଚାରିପଟରେ ବଢିଗଲାଣି ଘାସର ଜଙ୍ଗଲ । ଆଉ ପାଚେରୀ ନିର୍ମାଣ ଅଧାରୁ ଅଟକି ଯାଇଛି । ଇଏ ହେଉଛି ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଡ଼ପଲାର ରାଡ଼ାର କେନ୍ଦ୍ରର ସ୍ଥିତି । ଗତ ୪ ବର୍ଷ ହେଲା ଚାଲିଛି ପାଣିପାଗ ବିଭାଗ ପାଇଁ ଘର ନିର୍ମାଣ । ହେଲେ ସରିବାର ନାଁ ନେଉନି । ଏହି କୋଠାରେ ସି-ବେଣ୍ଡ ଡ଼ପଲାର ରାଡ଼ାର ସଂଯୋଗ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ରାଡ଼ାର କାର୍ଯ୍ୟକ୍ଷମ ହେଲେ ପ୍ରାକୃତିକ ବିପର୍ଯ୍ଯୟର ତଥ୍ୟ ପାଣିପାଗ ବିଭାଗକୁ ମିଳିପାରିବ । ବିଶେଷକରି କେଉଁ ସ୍ଥାନରେ ଓ କେତେ ଥର ବିଜୁଳି ମାରିବ ସେନେଇ ୩ ଘଣ୍ଟା ପୂର୍ବରୁ ସୂଚନା ମିଳିବ । ଏହି ସୂଚନାକୁ ମୋବାଇଲ ମାଧ୍ୟମରେ ପାଣିପାଗ ବିଭାଗ ତରଫରୁ ଲୋକଙ୍କ ନିକଟରେ ପହଞ୍ଚାଯାଇ ସତର୍କ କରିଦିଆଯିବ । ହେଲେ ନା ସରୁଛି ନିର୍ମାଣ, ନା ଲୋକଙ୍କୁ ମିଳିପାରୁଛି ସୁବିଧା ।

 ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାରେ ଗତ ୨୦୨୦ ରେ ବଜ୍ରପାତ ଯୋଗୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨୦୨୧ ରେ ୧୫, ୨୦୨୨ରେ ୧୮, ୨୦୨୩ରେ ୩୦ ଓ ୨୦୨୪ ରେ ୨୬ ଜଣଙ୍କର ପ୍ରାଣହାନୀ ଘଟିଛି । ଓଡ଼ିଶାରେ ୨୦୨୦ ରୁ ୨୦୨୪ ମଧ୍ୟରେ ବଜ୍ରପାତ ଯୋଗୁ ମୋଟ ଏକ ହଜାର ୬୨୫ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ପାରାଦ୍ବୀପ ପରେ ବାଲେଶ୍ବରରେ ଡ଼ପଲାର ରାଡ଼ାର କେନ୍ଦ୍ର ପ୍ରତିଷ୍ଠା ହେଲେ ଏହା କେନ୍ଦ୍ରର ୨୫୦ କିଲୋମିଟର ପରିଧୀ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନର ପାଣିପାଗ ଓ ପ୍ରକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ସଂଗ୍ରହ କରିହେବ । ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉଦାସୀନତା ଯୋଗୁ ଏହି ସୁବିଧାରୁ ବଞ୍ଚିତ ଲୋକେ । ସେପଟେ ଅଧିକାରୀ କହିଛନ୍ତି ବର୍ଷେ, ଦୁଇବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇଯିବ । ସରକାରୀ ଉଦାସିନତା କାରଣରୁ ବର୍ଷେ ନୁହେଁ ୪ ବର୍ଷ ହେଲା ଝୁଲନ୍ତା ଅବସ୍ଥାରେ ରହିଯାଇଛି ପ୍ରକଳ୍ପ ।