ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଭିନବ ଯୋଜନା । ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ବିଏସକେୱାଇରେ ନବକଳେବର କରାଯାଇ ଏବେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯାଇ ଏ କାର୍ଡ ବଣ୍ଟନ କରିଛନ୍ତି । ଏ କାର୍ଡ ଜରିଆରେ ହିତାଧିକାରୀମାନେ ସମସ୍ତ ସରକାରୀ ଓ ଅନୁବନ୍ଧିତ ୨୮୪ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ମିଳୁଛି ।

ମାତ୍ର ରାଜ୍ୟ ସରକାରଙ୍କ ଏ ସଫଳ ଯୋଜନାରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଅସହିଷ୍ଣୁ ହୋଇ ମିଛ ଗୁଜବ ପ୍ରଚାର କରୁଛନ୍ତି । ଘରୋଇ ହସପିଟାଲରେ ମାଗଣା ଚିକିତ୍ସା ସେବା ମିଳୁନଥିବା ମିଥ୍ୟା ପ୍ରଚାର କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ବିଏସକେୱାଇରେ ହିତାଧିକାରୀଙ୍କୁ ଉନ୍ନତ ଚିକିିତ୍ସା ସେବା ମିଳୁଛି । ଏଥିରେ କୌଣସି ପ୍ରକାର ଅବହେଳା କରାଯାଉ ନାହିଁ । ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ବାର୍ଷିକ ଚିକିତ୍ସା ସେବା ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷର ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି । ସମସ୍ତ ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟକୁ ଚୁକ୍ତି ଅନୁସାରେ ସରକାର ଏ ସହାୟତା ବାବଦ ପାଣ୍ଠି ପ୍ରଦାନ କରୁଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀ ବାରମ୍ବାର ଏହାକୁ ଗୁରୁତ୍ୱ ଦେଉଛନ୍ତି । ବିଏସକେୱାଇ ରାଜ୍ୟ ସରକାରଙ୍କ ସବୁଠୁ ସଫଳ ଓ ମୁଖ୍ୟ ଯୋଜନା । ତେଣୁ ମିଛ ଗୁଜବରେ ବିଶ୍ୱାସ ନକରି ହିତାଧିକାରୀ ହେଲ୍ଥ କାର୍ଡ ଜରିଆରେ ସ୍ୱାସ୍ଥ୍ୟସେବାର ସୁବିଧା ନେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସାହା ହେଲା ବିଏସ୍‌କେଓ୍ୱାଇ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦେବରାଜ, କହିଲେ ସ୍ମାର୍ଟ କାର୍ଡ ନଥିଲେ ଘର ବିକ୍ରି କରିବାକୁ ପଡ଼ିଥାନ୍ତା

Leave a Reply