କାଲି ଆମେରିକାର ମୁକ୍ତି ଦିବସ: ଆରମ୍ଭ ହେବ ଟ୍ରମ୍ପଙ୍କ ଟାରିଫ ୱାର

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୨ରେ ଆମେରିକା ପାଳିବ ମୁକ୍ତି ଦିବସ । ଏପରି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପଙ୍କ ଟାରିଫ୍ ରାଜ । ଏପଟେ ଟ୍ରମ୍ପଙ୍କ ଟାରିଫ ଧମକର ପ୍ରଭାବ ଆଜିଠୁ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ନିବେଶକମାନେ ଅଂଶଧନ ବିକ୍ରି କରିଦେଉଥିବାରୁ ସେନ୍ସେକ୍ସ, ନିଫଟି, ବ୍ୟାଙ୍କ ନିଫଟି ୧ ହଜାର ପଏଣ୍ଟରୁ ଅଧିକ କ୍ରାସ୍ କରିଛି । ସେହିପରି ଭାରତ ମଧ୍ୟ ଆମେରିକୀୟ ବାଇକ, କାର, ଡାଏରୀ, ମଦ ଉପରେ ଶତ ପ୍ରତିଶତ ଟାରିଫ ବସାଇ ଜବାବ ଦେବାକୁ ଘୋଷଣା କରିଛି । ବିଶେଷଜ୍ଞଙ୍କ ଆକଳନ ଟ୍ରମ୍ପଙ୍କ ଟାରିଫ୍ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଦଶମିକ ୧ ପ୍ରତିଶତରୁ ଦଶମିକ ୨ ପ୍ରତିଶତ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି ।
୨୦୨୫ ଏପ୍ରିଲ ୨ ତାରିଖ । ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ । ଅସ୍ତ୍ରଶସ୍ତ୍ର ଗୋଳାବାରୁଦରେ ନୁହେଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁ ରାଷ୍ଟ୍ରକୁ ଟାରିଫ୍ ଚେତାବନୀର ଯୁଦ୍ଧ । ୨ ତାରିଖ ଆମେରିକା ପାଇଁ ମୁକ୍ତି ଦିବସ । ଆମେରିକାକୁ ଜିନିଷ ରପ୍ତାନୀ ପଡ଼ିବ ମହଙ୍ଗା । ଟ୍ରମ୍ପଙ୍କ ଧମକ ଆଗରେ ନଇଁନି ଭାରତ । ଆମେରିକା ଲହୁଣି, ଛେନା, ମଦ, ଟେସଲା ଇଭି କାର, ହାର୍ଲେ ଡେଭିଡ୍ସନ୍ ବାଇକ ଉପରେ ଟାରିଫ ବସାଇବାକୁ ଘୋଷଣା କରିଛି । ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଏବେ ବିଶ୍ବର ସବୁ ରାଷ୍ଟ୍ରକୁ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି ।
ଟ୍ରମ୍ପଙ୍କ ଟାରିଫ ରାଜ ଆରମ୍ଭ ହେବାର ପ୍ରଭାବ ଆଜି ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ସେନ୍ସେକ୍ସ ୧୪୦୦ ପଏଣ୍ଟ ତଳକୁ ଖସିଥିବାବେଳେ, ନିଫଟି ୩୫୩ ପଏଣ୍ଟ ହ୍ରାସ ଘଟିଛି । ବଜାର କ୍ରାସ କରିବା ଭୟରେ ଅଂଶଧନ ବିକ୍ରି କରି ବାହାରି ଯାଇଛନ୍ତି ନିବେଶକ । ସବୁଠୁ ବେଶୀ ପ୍ରଭାବିତ ହୋଇଛି ବ୍ୟାଙ୍କ ନିଫଟି । ନିବେଶକମାନେ ଏବେ ସୁନାରେ ବେଶୀ ପୁଞ୍ଜି ଲଗାଇବା ପାଇଁ ସେୟାର ବଜାରରୁ ବାହାରି ଆସୁଛନ୍ତି । ସେପଟେ ଆମେରିକାର ଡାଏରୀ ଉତ୍ପାଦ ଆମଦାନୀ ଉପରେ ଭାରତ ୧୦୦ ପ୍ରତିଶତ, ମଦ ଉପରେ ୧୫୦ ପ୍ରତିଶତ ଟାରିଫ ବସାଇବାକୁ ଘୋଷଣା କରିଛି । ଅର୍ଥନୀତି ବିଶେଷଜ୍ଞଙ୍କ ଆଶଙ୍କା ଟ୍ରମ୍ପଙ୍କ ଟାରିଫ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଅଭିବୃଦ୍ଧି ପ୍ରଭାବିତ ହେବ ।
ରାଷ୍ଟ୍ରପତି ଟ୍ରମ୍ପ୍ ବିଶ୍ବ ବାଣିଜ୍ୟ ସଂଗଠନକୁ ଏକ ପ୍ରକାର ପଙ୍ଗୁ କରିଦେବାକୁ ବସିଛନ୍ତି । ଟ୍ରମ୍ପ ଟାରିଫ ବସାଇ ୬୦୦ ବିଲିୟନ୍ ଡଲାର ରୋଜଗାର କରିବାକୁ ଯୋଜନା ରଖିଛନ୍ତି । ଟାରିଫ ବ୍ୟବସ୍ଥା ଆମେରିକୀୟଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହେବ । ଭାରତ ଆମେରିକାକୁ ବୈଦୁତିକ ସାମଗ୍ରୀ, ଚାଉଳ, ଫାର୍ମାସ୍ୟୁଉଟିକାଲ୍ସ ଉତ୍ପାଦ, ହୀରା ରପ୍ତାନୀ କରୁଛି । ଏସବୁ ଉତ୍ପାଦ ଉପରେ ଆମେରିକା ଟାରିଫ ବସାଇଲେ ସେଠାକାର ଲୋକମାନେ ଅତ୍ୟାବଶ୍ୟକ ଜିନିଷ ପାଇଁ ଅଧିକ ଅର୍ଥ ଗଣିବେ । ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ କମି ଚାଲିଛି । ଯାହାର ପ୍ରଭାବରେ ଭାରତକୁ ଡଲାରରେ କିଣିବା ପାଇଁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି । କମ୍ପ୍ୟୁଟର ସଫ୍ଟଓ୍ବେର ଦର ବଢି ସାରିଲାଣି । ଆଗାମୀ ଦିନରେ ସେମି କଣ୍ଡକଟ, ଏସ୍ଏସଡି, ପେନ୍ ଡ୍ରାଇଭ, ଚିପ୍ସ ମହଙ୍ଗା ହେବ । ଡଲାର ତୁଳନାରେ ଟଙ୍କା ମୂଲ୍ୟ କମୁଥିବାରୁ ସମସ୍ତ ପ୍ରକାର ବୈଦୁତିକ ସାମଗ୍ରୀ ମହଙ୍ଗା ହେବ । ଯାହାର ପ୍ରଭାବ ସିଧା ଗ୍ରାହକ ଭୋଗିବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କମ୍ପ୍ୟୁଟର ବିକ୍ରେତା ।
ବୁଦ୍ଧିଜୀବୀଙ୍କ ଆଶଙ୍କା ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ଯଦି ହୁଏ ତା’ହେଲେ ଅସ୍ତ୍ରଶସ୍ତ୍ରରେ ନ ହୋଇ ଏପରି ବାଣିଜ୍ୟ କାରବାରରେ ହେବ । ଆମେରିକାର ବଡ଼ଭାଇ ପଣିଆ ଆଗରେ ଭାରତ ବି ମୁଣ୍ଡ ନୁଆଁଇବା ସ୍ଥିତିରେ ନାହିଁ ।