ଡୋନାଲ୍ଡ ଟ୍ରମ୍ପ ବନ୍ଧୁ ନାଁ ରେ ବନ୍ଧୁକ, ନାହାଁନ୍ତି ଜଣେ ମଧ୍ୟ ବନ୍ଧୁ

1 min read

ନନ୍ଦିଘୋଷ ବ୍ୟୁରୋ: ବନ୍ଧୁତ୍ୱ ଏକ ଅବୁଝା ସମ୍ପର୍କ ! … ବିଶ୍ୱାସରେ ଯୋଡ଼ାହେଇଥିବା ଏକ ବନ୍ଧନ । କଥାରେ ଅଛି ଯଦି ତୁମେ ପ୍ରକୃତ ସାଙ୍ଗ ବାଛିପାରୁନ ତାହେଲେ ପ୍ରଥମେ ଦେଖ ଯେ, ସେ ତାର ପୁରୁଣା ବନ୍ଧୁମାନଙ୍କ ସହିତ କିପରି ବ୍ୟବହାର କରୁଛି । କିନ୍ତୁ ଏହି କ୍ଷେତ୍ରରେ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ବିଫଳ ହୋଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ଜଣେ ବି ଭଲ ବନ୍ଧୁ ନାହାନ୍ତି । ସମସ୍ତ ବନ୍ଧୁ ତାଙ୍କୁ ଛାଡି ଚାଲିଯାଇଛନ୍ତି । ସମସ୍ତେ କୁହନ୍ତି ଯେ ଟ୍ରମ୍ପ ଆଦୌ ବିଶ୍ୱସ୍ତ ବନ୍ଧୁ ନୁହଁନ୍ତି। ସେ କେବଳ ବନ୍ଧୁମାନଙ୍କୁ ବ୍ୟବହାର କରନ୍ତି ଏବଂ ପରେ ସେମାନଙ୍କ ସହିତ ବିଶ୍ୱାସଘାତକତା କରନ୍ତି । କଥା ଏବେର ନୁହଁ ବରଂ ବହୁ ପୂର୍ବରୁ ଟ୍ରମ୍ପ ଏହା ସାବ୍ୟସ୍ତ କରିଛନ୍ତି । ତାଙ୍କର ଅନେକ ନିକଟତମ ସହଯୋଗୀ, ସହକର୍ମୀ ଏବଂ ପୁରୁଣା ବନ୍ଧୁଙ୍କୁ ସେ ଧୋକା ଦେଇଛନ୍ତି । ଯଦି ଆପଣ ଟ୍ରମ୍ପଙ୍କ ପାଇଁ ଆବଶ୍ୟକ ଏବଂ ତାଙ୍କ ନୀତି ପାଇଁ ଲଢ଼ନ୍ତି, ତେବେ ଆପଣ ତାଙ୍କର ବନ୍ଧୁ କିନ୍ତୁ ଯଦି ଆପଣ ତାଙ୍କ ସହ ଅସହମତ, ସମାଲୋଚନା କରନ୍ତି କିମ୍ବା ଆପଣଙ୍କର ସ୍ୱାଧୀନତା ଦେଖାନ୍ତି ତେବେ ଆପଣ ଶୀଘ୍ର ତାଙ୍କର  ‘ଶତ୍ରୁ’ ହୋଇଯାଆନ୍ତି ।

ଅସୁସ୍ଥ ବନ୍ଧୁଙ୍କୁ ଟ୍ରମ୍ପ ଛାଡି ଚାଲିଗଲେ

୧୯୮୦ ଦଶକରେ ରୟ କୋନ୍ ନାମକ ଜଣେ ପ୍ରସିଦ୍ଧ ଓକିଲ ଏବଂ ରାଜନୈତିକ ଲବିଷ୍ଟ ଟ୍ରମ୍ପଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କୋନ୍ ଟ୍ରମ୍ପଙ୍କୁ ଆକ୍ରମଣାତ୍ମକ ଭାବରେ ମାମଲା ଲଢ଼ିବା ଏବଂ ଏକ ଭାବମୂର୍ତ୍ତି ବଜାୟ ରଖିବା ଶିଖାଇଥିଲେ । ଟ୍ରମ୍ପ ତାଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି ମାନୁଥିଲେ। ଯେତେବେଳେ ରୟ ଏଡ୍ସରେ ପୀଡିତ ହେଲେ ଏବଂ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଲେ, ଟ୍ରମ୍ପ ତାଙ୍କଠାରୁ ନିଜକୁ ଦୂରେଇ ରଖିଲେ ଏବଂ ତାଙ୍କୁ କୌଣସି ସମର୍ଥନ ପ୍ରଦାନ କଲେ ନାହିଁ। ଏହା ଟ୍ରମ୍ପଙ୍କ ଚିନ୍ତାଧାରାର ଏକ ପ୍ରାରମ୍ଭିକ ଉଦାହରଣ ଥିଲା – ଯେତେବେଳେ ଜଣେ ଅସୁସ୍ଥ, ଦୁର୍ବଳ କିମ୍ବା “ଅଲୋଡ଼ା” ହୋଇଯାଏ ସେତେବେଳେ ବନ୍ଧୁତା ଭାଙ୍ଗିଯାଏ।

ସାଙ୍ଗକୁ ମିଛୁଆ ଏବଂ ଦୁର୍ବଳ କହିଥିଲେ

ମାଇକେଲ କୋହେନ ବର୍ଷ ବର୍ଷ ଧରି ଟ୍ରମ୍ପଙ୍କ ବ୍ୟକ୍ତିଗତ ଓକିଲ ଏବଂ “ସଂରକ୍ଷକ” ଥିଲେ। ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦେଇଥିଲେ। ଯେତେବେଳେ ଆଇନଗତ ଚାପ ବଢ଼ିଲା, କୋହେନ ଟ୍ରମ୍ପଙ୍କ ବିରୋଧରେ ସାକ୍ଷ୍ୟ ଦେଲେ। ଜବାବରେ, ଟ୍ରମ୍ପ ତାଙ୍କୁ “ମିଛୁଆ” ଏବଂ “ଦୁର୍ବଳ” ବୋଲି କହିଥିଲେ, ଯଦିଓ ଏହି ବ୍ୟକ୍ତି ଜଣକ ବର୍ଷ ବର୍ଷ ଧରି ତାଙ୍କ ପାଇଁ ବେଆଇନ କାମ କରୁଥିଲେ।

ବିଶ୍ବସ୍ତ ସାଙ୍ଗକୁ ଦୂରେଇ ଦେଲେ

୨୦୨୦ ନିର୍ବାଚନ ପରେ, ଗିଉଲିଆନି ଟ୍ରମ୍ପଙ୍କର ସବୁଠାରୁ ବଡ଼ “ଯୋଦ୍ଧା” ହୋଇଗଲେ। ସେ ନିର୍ବାଚନ ଜାଲିଆତିର ଭିତ୍ତିହୀନ ଦାବି କରିବାକୁ କୋର୍ଟକୁ ଯାଇଥିଲେ। ଯେତେବେଳେ ଗିଉଲିଆନିଙ୍କ ଆଇନଗତ ଶୁକ୍ଳ ବୃଦ୍ଧି ପାଇଲା, ସେ ଟ୍ରମ୍ପଙ୍କୁ ସାହାଯ୍ୟ ମାଗିଲେ। ଟ୍ରମ୍ପ କୌଣସି ଆର୍ଥିକ ସହାୟତା ପ୍ରଦାନ କଲେ ନାହିଁ। ଶେଷରେ ଗିଉଲିଆନିଙ୍କୁ ନିଜେ ଟଙ୍କା ପାଇଁ ଆବେଦନ କରିବାକୁ ପଡିଲା।

ସବୁଠାରୁ ବଡ଼ ବିଶ୍ୱାସଘାତକତା ?

ଜାନୁଆରୀ ୬, ୨୦୨୧ ରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ଟ୍ରମ୍ପ “କାପୁରୁଷ” ବୋଲି କହିଥିଲେ। ତାଙ୍କ ସମର୍ଥକମାନେ “ମାଇକ୍ ପେନ୍ସଙ୍କୁ ଫାଶୀ ଦିଅ!” ନାରା ଦେଇ କ୍ୟାପିଟଲ୍ କୋଠାରେ ଆକ୍ରମଣ କରିଥିଲେ କିନ୍ତୁ ଟ୍ରମ୍ପ୍ ନୀରବ ରହିଥିଲେ।

ଜଣେ ଘନିଷ୍ଠ ବନ୍ଧୁ ଦୂରେଇଗଲେ

ପୂର୍ବରୁ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିବା ହାୱାର୍ଡ ଷ୍ଟର୍ଣ୍ଣ ଟ୍ରମ୍ପଙ୍କ ନୀତି ଏବଂ ଭାଷଣବାଜିରେ ବିରକ୍ତ ହେବା ପରେ ତାଙ୍କଠାରୁ ଦୂରେଇ ଯାଇଥିଲେ। ସେ କହିଥିଲେ, ଟ୍ରମ୍ପ ଲୋକଙ୍କୁ ବ୍ୟବହାର କରନ୍ତି। ସେନେଟର ଲାମର୍ସ ତାଙ୍କର ପିଲାଦିନର ବନ୍ଧୁ ଥିଲେ। ସେ ଟ୍ରମ୍ପଙ୍କ ସ୍କୁଲ ସାଥୀ ଥିଲେ, କିନ୍ତୁ ପରେ ଟ୍ରମ୍ପ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।

କ୍ରିସ୍ କ୍ରିଷ୍ଟିଙ୍କ ସହ ଫାଟ

କ୍ରିଷ୍ଟି ଟ୍ରମ୍ପଙ୍କର ଜଣେ ଭଲ ପରାମର୍ଶଦାତା ଏବଂ ବିଶ୍ୱସ୍ତ ଥିଲେ। ପରେ ଯେତେବେଳେ ସେ ଟ୍ରମ୍ପଙ୍କ ମିଛର ସାମ୍ନା କଲେ, ଟ୍ରମ୍ପ ତାଙ୍କୁ “ମୂର୍ଖ” ଏବଂ “ବୋକା” ବୋଲି କହି ଅପମାନିତ କଲେ।

ଟ୍ରମ୍ପଙ୍କ ବନ୍ଧୁତାରେ ବିଭିନ୍ନ ସର୍ତ୍ତ :

ପ୍ରଶଂସା କରନ୍ତୁ, ନିକଟତର ହୁଅନ୍ତୁ ଏବଂ ସାଙ୍ଗକୁ ବ୍ୟବହାର କରନ୍ତୁ ଲାଭ ଉଠାନ୍ତୁ । ଯଦି ସାଙ୍ଗ ବିରୋଧ କରିବା ମାତ୍ରେ ଅପମାନ କରନ୍ତୁ । ଟ୍ରମ୍ପ ସେହିମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ତାଙ୍କ କଥାରେ ସହମତ ହୁଅନ୍ତି। ଯେଉଁମାନେ ତାଙ୍କୁ ଚ୍ୟାଲେଞ୍ଜ କରନ୍ତି ସେମାନେ ବିପଦରେ ପଡ଼ିଥାନ୍ତି ।

ଟ୍ରମ୍ପଙ୍କ “ବନ୍ଧୁତା”ର ପରିଭାଷା

ଟ୍ରମ୍ପଙ୍କ ବନ୍ଧୁତାକୁ ଧୋକା ବୋଲି ବିବେଚନା କରାଯାଏ । ସେ ପ୍ରାୟତଃ ବନ୍ଧୁତାକୁ ଏକ କାରବାର ଭାବରେ ଦେଖନ୍ତି। ଯେଉଁମାନେ ତାଙ୍କୁ ପ୍ରଶଂସା କରନ୍ତି, ବିଶ୍ୱସ୍ତ ରୁହନ୍ତି ଏବଂ ତାଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାନ୍ତି, ସେମାନଙ୍କୁ ଟ୍ରମ୍ପଙ୍କ ‘ଭଲ ବନ୍ଧୁ’ ବୋଲି ବିବେଚନା କରାଯାଏ। ନିକଟରେ ଟ୍ରମ୍ପ-ମସ୍କ ଫାଟ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଅତି ଘନିଷ୍ଠ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ଟିକସ ଓ ଖର୍ଚ୍ଚ ସମ୍ବନ୍ଧିତ ବିଲ୍ କୁ ଏଲନ୍ ମସ୍କଙ୍କ ସମାଲୋଚନାକୁ ନେଇ ଖୋଲାଖୋଲି ମସ୍କଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ !

ଟ୍ରମ୍ପ ନିଜେ ଏକ ସାକ୍ଷାତକାରରେ କହିଛନ୍ତି, ସମ୍ପର୍କକୁ ବ୍ୟବସାୟିକ କାରବାର ଭାବରେ ଦେଖନ୍ତି ।  ଭାବପ୍ରବଣ ସମର୍ଥନ ଅପେକ୍ଷା ବିଶ୍ୱସ୍ତତାକୁ ଧ୍ୟାନ ଦିଅନ୍ତି । “ଆବେଗପୂର୍ଣ୍ଣ” ବନ୍ଧୁତାକୁ ଦୁର୍ବଳତା ଭାବରେ ଦେଖନ୍ତି । ସେ ଏପରି ଲୋକଙ୍କୁ ପସନ୍ଦ କରନ୍ତି ଯେଉଁମାନେ ତାଙ୍କୁ ପ୍ରଶଂସା କରନ୍ତି, ତାଙ୍କ ଶକ୍ତି କିମ୍ବା ପ୍ରତିଛବିକୁ ପ୍ରୋତ୍ସାହିତ କରନ୍ତି ଏବଂ କେବେ ମତଭେଦ କରନ୍ତି ନାହିଁ । ଟ୍ରମ୍ପ ଅନେକ ଥର କହିଛନ୍ତି, ମୁଁ ଏକା ରହିବାକୁ ପସନ୍ଦ କରେ, ମୋତେ ବହୁତ ବନ୍ଧୁର ଆବଶ୍ୟକତା ନାହିଁ।