ଆଜି ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଅହମ୍ମଦାବାଦଠୁ ଆଗ୍ରା ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତ

ଗୁଜୁରାଟ: ଆଉ କିଛି ସମୟର ଅପେକ୍ଷା, ଭାରତରେ ପହଁଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାଗତ ପାଇଁ ଅହମ୍ମଦାବାଦଠୁ ଆଗ୍ରା, ସବୁଠି ପ୍ରସ୍ତୁତି । ଟ୍ରମ୍ପଙ୍କ ଗସ୍ତକୁ ସ୍ମରଣୀୟ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି । ଆଜି ସକାଳ ୧୧ଟା ୫୫ରେ ଅହମ୍ମଦାବାଦରେ ପହଁଚିବେ ଟ୍ରମ୍ପ । ସେଠାରେ ତାଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱର ସବୁଠାର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସାହିତ ପୂରା ଭାରତ । ରଙ୍ଗୀନ ହୋଇଛି ଗୁଜୁରାଟ ଓ ରାଜଧାନୀ ଦିଲ୍ଲୀ ।

୩୬ ଘଣ୍ଟାର ରହଣୀରେ ଟ୍ରମ୍ପ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ୱାଶିଂଟନରୁ ଏୟାରଫୋର୍ସ ଏକ ବିମାନରେ ଆସି ଅହମ୍ମଦାବାଦରେ ପହଁଚିବେ । ସେଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ନମସ୍ତେ ଟ୍ରମ୍ପ ରୋଡ ଶୋ ସାମିଲ ହେବେ । ଏଥିରେ ପ୍ରାୟ ୧ ଲକ୍ଷ ଲୋକ ସାମିଲ ହେବେ । ଗାନ୍ଧିଜୀଙ୍କର ସାବରମତି ଆଶ୍ରମରେ ୧୫ ମିନିଟ ରହିବେ ଟ୍ରମ୍ପ । ସେଠାରୁ ମୋଟେରା ଷ୍ଟାଡିୟମକୁ  ଯିବେ । ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମକୁ  ଟ୍ରମ୍ପ ଉଦ୍‌ଘାଟନ କରିବେ । ଏହାପରେ ଦିଲ୍ଲୀ ଅଭିମୁଖେ ଯିବେ ଉଭୟ ନେତା ।

ଆଗ୍ରା ଯାଇ ଶାଶ୍ୱତ ପ୍ରେମର ପ୍ରତୀକ ତାଜମହଲର ପରିଦର୍ଶନ କରିବେ ଟ୍ରମ୍ପ ପରିବାର । ଏଥିପାଇଁ ତାଜମହଲ ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ରାତିରେ ଦିଲ୍ଲୀ ପଂଚତାରକା ହୋଟେଲ ଆଇଟିସି ମୌର୍ୟ ହୋଟେଲରେ ରହିବେ । ଆସନ୍ତାକାଲି ସକାଳୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପରେ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ସମୟରେ ମିଲେନିଆ ଟ୍ରମ୍ପ ଦିଲ୍ଲୀର ସରକାରୀ ସ୍କୁଲ ପରିଦର୍ଶନ କରିବେ । ଏଥିପାଇଁ ସ୍କୁଲରେ କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଅପରାହ୍ନରେ ଟ୍ରମ୍ପ ଆମେରିକା ଦୁତାବାସ ଯାଇ ଭାରତୀୟ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ରହଣି ସମୟରେ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସ୍ୱାଦିଷ୍ଟ ଖାଦ୍ୟ ଖାଇବେ । ରାଜସ୍ଥାନୀ, ବେଙ୍ଗଲୀ, ଗୁଜୁରାଟୀ ଓ କାଶ୍ମୀରୀ ଖାଦ୍ୟ ସ୍ୱତନ୍ତ୍ର ଭାବେ ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ ହେବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଭାରତ ଗସ୍ତର କାର୍ଯ୍ୟକ୍ରମ ସାରି ରାତିରେ ଜର୍ମାନୀ ଅଭିମୁଖେ ବାହାରିଯିବେ ଡୋନାଲ୍ଡ ଟ୍ରମ୍ପ ଏବଂ ମିଲେନିଆ ଟ୍ରମ୍ପ ।

Leave a Reply