ଟ୍ରମ୍ପ ହତାଶ, ମିଳିଲାନି ନୋବେଲ ଶାନ୍ତି ପୁରସ୍କାର
1 min read
ନନ୍ଦିଘୋଷ ବ୍ୟୁରୋ: ଫୁସକିଗଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ବାହାଦୁରୀ । ୭ଟି ଯୁଦ୍ଧ ବନ୍ଦ କରିଥିବାରୁ ନୋବେଲ ଲାଗି ହକଦାର ଦାବି କରୁଥିବା ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର । ଛଡ଼ାଇ ନେଇଛନ୍ତି ଭେନେଜୁଏଲାର ଗଣତନ୍ତ୍ରବାଦୀ ନେତ୍ରୀ ମାରିଆ କୋରିନା ମାଚୋଡ଼ୋ । ଏକଛତ୍ରବାଦ ବିରୋଧରେ କରିଆସିଛନ୍ତି ଶାଣିତ ସଂଗ୍ରାମ ।
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଫୁସକି ଗଲା ଟ୍ରମ୍ପ, ସରିଫ ଓ ନେତନ୍ୟାହୁଙ୍କ ବାହସ୍ଫୋଟ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ମିଳିଲାନ ନୋବେଲ । ସର୍ବୋଚ୍ଚ ପୁରସ୍କାର ଲାଗି ନିଜକୁ ଯୋଗ୍ୟ ବୋଲି ଡିଣ୍ଡିମ ପିଟୁଥିବା ଟ୍ରମ୍ପଙ୍କ ନାଁ କାଟି ଦେଲେ ନୋବେଲ କମିଟି । ମିଳାଇଗଲା ୭ ମାସରେ ୭ଟି ଯୁଦ୍ଧ ବନ୍ଦ କରିବାର ବାହାଦୂରୀ । ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ରାୱାଣ୍ଡା- କଙ୍ଗୋ, ଥାଇଲାଣ୍ଡ-କାମ୍ବୋଡିଆ, ଆର୍ମେନିଆ-ଅଜରବୈଜାନ, ଇଜିପ୍ଟ-ଇଥିଓପିଆ ଏବଂ ସର୍ବିଆ-କୋସୋଭୋ ଯୁଦ୍ଧ ବନ୍ଦ କରିଥିବାରୁ ନୋବେଲ ଲାଗି ସେ ଉପଯୁକ୍ତ ବୋଲି କହିଆସୁଥିଲେ ଟ୍ରମ୍ପ । କେବଳ ଏତିକି ନୁହେଁ ଟ୍ରମ୍ପଙ୍କ ମୁଖପାତ୍ର ସାଜିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଫିଲ୍ଡ ମାର୍ଶାଲ ଅସୀମ ମୁନିର, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହୋଇଛନ୍ତି ଭାଣ୍ଡିଆ । ଗତ ଜୁଲାଇରେ ନେତନ୍ୟାହୁ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ବୈଠକ ବେଳେ ପ୍ରଦାନ କରିଥିଲେ ମନୋନୟନ ପତ୍ର । ଅପରେସନ ସିନ୍ଦୂର ବେଳେ ଯୁଦ୍ଧ ବନ୍ଦ ଲାଗି ଟ୍ରମ୍ପଙ୍କ ସହ ଭାରତ ସରକାର କଥା ହୋଇ ନଥିଲେ ବୋଲି କେନ୍ଦ୍ର ସରକାର ଯୁକ୍ତି କରୁଥିଲେ ବି ଏହି ପ୍ରସଙ୍ଗରେ ବାହସ୍ଫୋଟ ମାରିଚାଲିଛନ୍ତି ଟ୍ରମ୍ପ । ଏପରିକି ନୋବେଲ ଘୋଷଣାର କିଛି ସମୟ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ ଟ୍ରମ୍ପ । କହିଥିଲେ- କିଛି କରି ନଥିବା ଲୋକଙ୍କୁ ୨୦୦୯ରେ ମିଳିଥିଲା ନୋବେଲ । ଟ୍ରମ୍ପଙ୍କ ନାମକୁ ସୁପାରିସ କରିଥିଲେ ଇସ୍ରାଏଲ, ପାକିସ୍ତାନ, ଆଜରବୈଜାନ, ଆର୍ମେନିଆ, ଥାଇଲାଣ୍ଡ ଓ କାମ୍ବୋଡିଆ ।
ଗଣତନ୍ତ୍ର ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚୋଡ଼ୋ । ଏକଛତ୍ରବାଦ ହଟାଇ ଗଣତନ୍ତ୍ର ପ୍ରତିଷ୍ଠାରେ ନେଇଥିଲେ ପ୍ରମୁଖ ଭୂମିକା । ଆଇରନ ଲେଡି ଭାବେ ଜଣାଶୁଣା ମାରିଆ ଗତ ୨୦୨୫ରେ ଟାଇମ୍ସ ମାଗାଜିନରେ ସର୍ବାଧିକ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପାଇଥିଲେ ସ୍ଥାନ । ସମଗ୍ର ଲାଟିନ ଆମେରିକାରେ ଗଣତନ୍ତ୍ରର ଦୂତ ସାଜିଥିଲେ ମାରିଆ । ନିକୋଲାସ ମାଦୁରୋଙ୍କ ଏକଛତ୍ର ଶାସନ ବିରୋଧରେ କରିଥିଲେ ସଂଗ୍ରାମ । ମାନବାଧିକାର ପ୍ରସଙ୍ଗରେ ୨୦୧୪ରେ ସଂସଦରୁ ବହିଷ୍କୃତ ହୋଇଥିଲେ ମାରିଆ ।
ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଲାଗି ଆସିଥିଲା ୩୩୮ ମନୋନୟନ । ସେଥିରେ ଥିଲେ ୨୪୪ ବ୍ୟକ୍ତି ବିଶେଷ ଓ ୯୪ଟି ସଂଗଠନ ।