ପୁଣି ବଢ଼ିଲା ଡୋନାଲଡ ଟ୍ରମ୍ପଙ୍କ ଅଡୁଆ, ପରିବାର ବିରୋଧରେ ଜାଲିଆତି ଅଭିଯୋଗ

1 min read

ଓ୍ୱାଶିଂଟନ: ପୁଣି ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅଡୁଆ । ସେ ଓ ତାଙ୍କ ପରିବାରର ବ୍ୟବସାୟରେ ଜାଲିଆତି ହୋଇଛି ବୋଲି କହିଛନ୍ତି ନ୍ୟୁୟର୍କ ବିଚାରପତି ଆର୍ଥର ଏଙ୍ଗୋରନ । ଆଟର୍ଣ୍ଣିଂ ଜେନେରାଲ ଲେଟିଚା ଜେମସଙ୍କ ପକ୍ଷରୁ ଆଗତ ଏକ ମାମଲାର ବିଚାର କରି କୋର୍ଟ ଏହା କହିଛନ୍ତି । ଟ୍ରମ୍ପ ଓ ତାଙ୍କ ପରିବାର ବେଆଇନ ଭାବେ ସମ୍ପତ୍ତି ଅର୍ଜନ କରିଛନ୍ତି ବୋଲି କହିଛନ୍ତି ବିଚାରପତି ।

ଆସନ୍ତା ଅକ୍ଟୋବର ୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଥିବାବେଳେ ଟ୍ରମ୍ପ ଏଥିରୁ ନିସ୍ତାର ପାଇବା ଆଶା କ୍ଷୀଣ ବୋଲି ସୂଚନା ମିଳିଛି । ମାମଲାର ଶୁଣାଣି କରି ଟ୍ରମ୍ପଙ୍କ ସଂସ୍ଥାକୁ ମିଳିଥିବା ବିଜନେସ ସାର୍ଟିଫିକେଟ ବାତିଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଟ୍ରମ୍ପଙ୍କ ବ୍ୟବସାୟିକ ସଂଗଠନ ଓ ତାଙ୍କ ସନ୍ତାନ ସେମାନଙ୍କ ସମ୍ପତ୍ତି ମୂଲ୍ୟ ସମ୍ପର୍କରେ ଦଶନ୍ଧି ଧରି ମିଥ୍ୟ ତଥ୍ୟ ଦାଖଲ କରିଆସୁଥିବା ଅଭିଯୋଗ କ୍ରମେ ଗତ ୨୦୨୨ ସେପ୍ବେମ୍ବରରେ ଟ୍ରମ୍ପଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଜେମସ । ବ୍ୟାଙ୍କ ଋଣ ଓ ବୀମା ସୁବିଧା ଲାଗି ସେମାନେ ଜାଲିଆତିର ପନ୍ଥା ଅବଲମ୍ବନ କରିଥିଲେ ବୋଲି ନିଜ ପିଟିସନରେ ଜେମସ ଦର୍ଶାଇଥିଲେ ।

ଆଟର୍ଣ୍ଣି ଜେନେରାଲ କହିଛନ୍ତି ଟ୍ରମ୍ପ ତାଙ୍କର ନେଟ ମୂଲ୍ୟ ୨.୨୩ ବିଲିୟନ ଡ଼ଲାର ଏବଂ ବ୍ୟାଙ୍କ ଏବଂ ବୀମାକାରୀଙ୍କ ନିକଟରେ ଦାଖଲ ହୋଇଥିବା ବାର୍ଷିକ ଆର୍ଥିକ ବିବରଣୀରେ ୩.୬ ବିଲିୟନ ଡ଼ଲାର ବୃଦ୍ଧି କରିଛନ୍ତି। ଏପରିକି ଟ୍ରମ୍ପ ତାଙ୍କର ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ଇଷ୍ଟେଟ, ମାନହଟ୍ଟନସ୍ଥିତ ଟ୍ରମ୍ପ ଟାଓ୍ବାର, ବିଭିନ୍ନ ଅଫିସ କୋଠା ଓ ଗଲ୍ଫ କୋର୍ସର ମୂଲ୍ୟକୁ ଅଧିକ ଦର୍ଶାଇଛନ୍ତି ବୋଲି ଅଭିଯୋଗ ହୋଇଥିଲା ।