ଗିରଫ ହେଲା କାଶ୍ମୀର ଡିଜିଙ୍କ ହତ୍ୟାକାରୀ, କ’ଣ ସିକ୍ରେଟ୍ ମିଶନରେ ଥିଲା ୟାସିର ?

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଡିଜି (ଜେଲ୍) ଏଚ.କେ. ଲୋହିଆଙ୍କ ହତ୍ୟା ସମଗ୍ର ଦେଶକୁ ଦୋହଲାଇ ଦେଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ଛାୟା ଶାଖା ‘ଦି ରେସିଷ୍ଟାନ୍ସ ଫୋର୍ସ’ ବା ଟିଆରଏଫ୍ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ବେଳେ ହତ୍ୟାକାରୀ ଘରୋଇ ସହାୟକ ୟାସିରକୁ ପୋଲିସ ଗିରଫ କରିଛି । ତେବେ ତାକୁ କେଉଁଠାରୁ ଗିରଫ କରାଯାଇଛି ସେ ବାବଦରେ କିଛି ମଧ୍ୟ ସୂଚନା ଦେଇନାହିଁ ।

ମୁଖ୍ୟ ଅଭିଯୁକ୍ତ ଗିରଫ

ଡିଜି ଲୋହିଆଙ୍କ ହତ୍ୟାକାରୀ ୟାସିର ଅହମ୍ମଦକୁ ପୋଲିସ ଗିରଫ କରିଛି । ତାକୁ କେଉଁଠାରୁ ଗିରଫ କରାଗଲା ସେ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେବ ବୋଲି କହିଛି । ପୋଲିସ ଅନୁସାରେ ୟାସିରର ବ୍ୟବହାର ଆକ୍ରାମକ ଥିଲା । ସେ ଅବସାଦର ଶିକାର ଥିବା ଜଣାପଡୁଛି । ୟାସିରର ଏକ ଡାଏରୀ ପୋଲିସ ଜବତ କରିଛି । ଏହି ଡାଏରୀରୁ ୟାସିର ଅବସାଦଗସ୍ତ ଥିବା ଅନୁମାନ କରାଯାଉଛି । ଡାଏରୀରେ ଗୋଟିଏ ସ୍ଥାନରେ ସେ ଲେଖିଛି ଯେ, ଆମକୁ ମରିବାକୁ ଦିଅ, ବଂଚାଇବାକୁ ଆସନି । ଜୀବନକୁ ନେଇ ସେ ଏହିଭଳି ଅନେକ କଥା ଡାଏରୀରେ ଲେଖିଛି ।

କ’ଣ ସିକ୍ରେଟ୍ ମିଶନରେ ଥିଲା ୟାସିର ?

ଡିଜି ଲୋହିଆଙ୍କ ହତ୍ୟା ପରେ ଆତଙ୍କବାଦୀ ସଂଗଠନ ଟିଆରଏଫ ଏଥିପାଇଁ ନିଜକୁ ଦାୟୀ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଟିଆରଏଫ୍ ଲସ୍କର ଏ ତୋଇବାର ଛାୟା ସଂଗଠନ । ସୋସିଆଲ ମିଡିଆ ପୋଷ୍ଟରେ ସଂଗଠନ କହିଥିଲା ଯେ, ଏହା ଆମର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉପହାର । ଆଗକୁ ଏହିଭଳି ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ୍ କରାଯିବ । ପୋଲିସ ଏପର୍ଯ୍ୟନ୍ତ ଏହି ହତ୍ୟାକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନି ନାହିଁ କି ଅସ୍ୱୀକାର ମଧ୍ୟ କରିନାହିଁ । ଦୁଇ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ଏମିତିରେ ପ୍ରଶ୍ନ ଉଠୁଛି ଯେ, ୟାସିର କ’ଣ ଲସ୍କରର ଗୁପ୍ତ ମିଶନରେ ଥିଲା କି ? ଲୋହିଆ ଜମ୍ମୁରେ ପୋଷ୍ଟେଡ୍ ଥିଲେ । କିନ୍ତୁ ଶ୍ରୀନଗର ଆସି ସେ ନିଜ ବନ୍ଧୁ ରାଜିବ ଖଜୁରିଆଙ୍କ ଘରେ ରହୁଥିଲେ । କାଲି କୌଣସି ଘଟଣାକୁ ନେଇ ୟାସିର ସହିତ ତାଙ୍କର ଯୁକ୍ତିତର୍କ ହୋଇଥିବା କୁହାଯାଉଛି । ଏହାପରେ ୟାସିର ରାଗି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡ ଘଟାଇବା ପରେ ୟାସିର ଘରୁ ବାହାରି ଯାଇଥିଲା । ଘରୁ ଯାଉଥିବା ବେଳେ ଅନ୍ୟ ଜଣେ ଘରୋଇ ସହାୟକ ତାଙ୍କୁ ଲୋହିଆଙ୍କ ବାବଦରେ ପଚାରିଥିଲେ । ସାହାବ ଶୋଇଛନ୍ତି କେହି ୟାସିର ଘରୁ ବାହାରି ଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଯେ, ୨୨ ବର୍ଷୀୟ ୟାସିର କ’ଣ ଟିଆରଏଫର ସିକ୍ରେଟ୍ ମିଶନରେ ଥିଲା କି ? ପୋଲିସ ଖୁବଶୀଘ୍ର ଏହି ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଇପରେ ।