ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ମୁକ୍ତି ମିଳୁନି । ଦେଶରେ ବଢ଼ି ଚାଲିଥିବା ତୈଳଦର ଯୋଗୁଁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ତା’ସହ ବଢ଼ିଛି ବିଭିନ୍ନ ସାମଗ୍ରୀର ଦରଦାମ । ମଧ୍ୟବିତ୍ତଙ୍କ ବଜେଟ୍ ଉପରେ ପଡ଼ିଛି ପ୍ରଭାବ । ଏବେ ଘରୋଇ ବିମାନ ଭଡ଼ା ବୃଦ୍ଧି କରାଯାଇଛି । ଘରୋଇ ବିମାନ ଭଡ଼ା ୩୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଲଗା ଅଲଗା ରୁଟ୍ ଲାଗି ବିମାନ ଭଡ଼ା ବୃଦ୍ଧି କରିଛି । ଏଥିସହ ଏୟାର ଲାଇନ୍ କ୍ଷମତାର ୮୦ ପ୍ରତିଶତ ସହ ପରିଚାଳନା ଲାଗି ଜାରି ସୀମାକୁ ୩୧ ମାର୍ଚ୍ଚ ୨୦୨୦ ଯାଏ ବୃଦ୍ଧି କରାଯାଇଛି ।

ରିପୋର୍ଟ ଅନୁସାରେ, ସର୍ବନିମ୍ନ ବିମାନ ଭଡ଼ା ୧୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସର୍ବାଧିକ ୩୦ ପ୍ରତିଶତ ବଢ଼ିଛି । ଏହି ନିୟମ ୩୧ ମାର୍ଚ୍ଚ ୨୦୨୦ ଯାଏ ବଳବତ୍ତର ରହିବ । ନୂଆ ବିମାନ ଭଡ଼ା ଅନୁଯାୟୀ, ଦିଲ୍ଲୀ-ମୁମ୍ବାଇ ରୁଟରେ ଇକୋନୋମି ଶ୍ରେଣୀରେ ଯାତ୍ରା କଲେ ୩ ହଜାର ୯ ଶହ ଟଙ୍କାରୁ ୧୩ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡ଼ିବ । ଏଥିରେ ଏୟାରପୋର୍ଟ ୟୁଜର ଡେଭଲପମେଣ୍ଟ ଶୁଳ୍କ, ଯାତ୍ରୀ ସୁରକ୍ଷା ଶୁଳ୍କ ଓ ଜିଏସଟି ସାମିଲ୍ ନାହିଁ ।
ତେବେ କେତେ ମିନିଟ୍ ଯାତ୍ରା କଲେ କେତେ ଟଙ୍କା ଦେବେ ?
୧) ୪୦ ମିନିଟ୍ ବିମାନ ଯାତ୍ରା ଲାଗି ୨୨ଶହରୁ ୭ ହଜାର ୮ ଶହ ଟଙ୍କା
୨) ୪୦ରୁ ୬୦ ମିନିଟ୍ ଯାତ୍ରା ଲାଗି ବିମାନ ଭଡ଼ା ୨୮ଶହରୁ ୯ ହଜାର ୮ ଶହ ଟଙ୍କା
୩) ୬୦ରୁ ୯୦ ମିନିଟ୍ ଯାତ୍ରା ଲାଗି ୩୩ ଶହ ଟଙ୍କାରୁ ୧୧ ହଜାର ୭ ଶହ ଟଙ୍କା
୪) ୯୦ରୁ ୧୨୦ ମିନିଟ୍ ଯାତ୍ରା ଲାହି ୩୯ ଶହ ଟଙ୍କାରୁ ୧୩ ହଜାର ଟଙ୍କା
୫) ୧୨୦ରୁ ୧୫୦ ମିନିଟ୍ ଯାତ୍ରା ଲାଗି ୫ ହଜାର ଟଙ୍କାରୁ ୧୬, ୯୦୦ ଟଙ୍କା
୬) ୧୫୦ରୁ ୧୮୦ ମିନିଟ୍ ଯାତ୍ରା ଲାଗି ୬, ୧୦୦ ଟଙ୍କାରୁ ୨୦ ହଜାର ୪୦୦ ଟଙ୍କା
୭) ୧୮୦ରୁ ୨୧୦ ମିନିଟ୍ ଯାତ୍ରା ଲାଗି ୭, ୨୦୦ ଟଙ୍କାରୁ ୨୪, ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ

