ଚିଲିକା ଏବଂ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା

1 min read

ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ଚାଲିଛି ଡଲଫିନ୍ ଗଣତି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା l ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା ଚାଲିଛି । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରି, ଜଙ୍ଗଲ ବିଭାଗ, ଓୟୁଏଟି ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି । ଗତବର୍ଷ ଚିଲିକାରେ ମୋଟ ୧୭୩ଟି ଡ଼ଲଫିନ ଠାବ ହୋଇଥିବା ବେଳେ, ଏଥିରୁ ୧୫୪ଟି ଏରାଓ୍ବାଡି ପ୍ରଜାତିର ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲଫିନ ଥିଲେ । …

ଅନ୍ୟପଟେ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ ଗଣନା ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ଗଣତି । ବନବିଭାଗର ୯ଟି ଟିମ ଡଲଫିନ ଗଣତି କରୁଛନ୍ତି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଏହି ଗଣନା ଚାଲିବ । ପ୍ରତ୍ୟେକ ଗଣନା ଟିମ ସଦସ୍ୟଙ୍କୁ ସହାୟତା ପାଇଁ ବୋଟ ସହିତ ବାଇନାକୁଲାର, ଜିପିଏସ, ହ୍ୟାଣ୍ଡସେଟ କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ଉପକରଣ ଯୋଗାଇ ଦିଆଯାଇଛି । ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ନିଷ୍ପତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲ୍‌ଫିନ୍ ଗଣନା କରାଯାଉଛି । ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣାନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀକ୍‌ରେ ୪ଟି ଟିମ୍ ଡଲ୍‌ଫିନ୍ ଗଣନା କରିବେ । ଚିଲିକା ଅଂଚଳରେ କେବଳ ଏରାୱାଡି ପ୍ରଜାତିର ଡଲ୍‌ଫିନ୍ ଦେଖାଯାଆନ୍ତି । ମାତ୍ର ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍ ଦେଖା ଯାଇଥାନ୍ତି । ଗତବର୍ଷ ଗଣନା ସମୟରେ ସାରା ଓଡିଶାରେ ୭୩୩ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ ଚିହ୍ନଟ ହୋଇଥିଲା ।