ଆଜିଠୁ ଗହୀରମଥା,ଭିତରକନିକାରେ ଡଲଫିନ ଗଣନା ଆରମ୍ଭ, ୩ଦିନ ଧରି ଚାଲିବ

କେନ୍ଦ୍ରାପଡା : ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ୩ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟ । ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ଏବଂ ଭିତରକନିକା ମଧ୍ୟରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯାଉଛି ।

ଗଣନା କାର୍ଯ୍ୟରେ ବାଇନାକୁଲାର , ଜିପିଏସ , କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀର ବ୍ୟବହାର କରାଯାଉଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ସୂଚନା ମିଳିଛି ।