ଆମେରିକାରେ ଶିକ୍ଷାରତ ଭାରତୀୟ ଗ୍ରାଜୁଏଟଙ୍କ ଲାଗି ଟ୍ରମ୍ପଙ୍କ ବଡ଼ ଘୋଷଣା
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଗ୍ରାଜୁଏଟଙ୍କ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ଗୋଲ୍ଡ କାର୍ଡ ସିଟିଜେନସିପ୍ ଆଧାରରେ ବିଭିନ୍ନ ଆମେରିକୀୟ ବିଶ୍ବବିଦ୍ଯାଳୟର ଭାରତୀୟ ଗ୍ରାଜୁଏଟମାନଙ୍କୁ ଆମେରିକୀୟ ଫାର୍ମ ନିଯୁକ୍ତି ଦେଇପାରିବେ । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଆମେରିକାରେ ଶିକ୍ଷାଲାଭ କରୁଥିବା ପ୍ରତିଭାବାନ ଛାତ୍ରଛାତ୍ରୀ ଆମେରିକା ଛାଡିବା ଲାଗି ବାଧ୍ୟ ହେଉଛନ୍ତି । ତେବେ ଗୋଲ୍ଡ କାର୍ଡ ଯୋଗୁ ସେମାନେ ଆମେରିକାରେ ସୁଯୋଗ ପାଇପାରିବେ । ନିଜର ପ୍ରଥମ କ୍ଯାବିନେଟ ବୈଠକରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ବୈଠକରେ ଏକ୍ସ ମାଲିକ ଏଲନ ମସ୍କ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ପ୍ରମୁଖ ଉପସ୍ଥିତ ଥିଲେ । ଗୋଲ୍ଡ କାର୍ଡ ସିଟିଜେନସିପ ନିୟମ ଆଧାରରେ ଯେଉଁ ବିଦେଶୀ ଧନୀ ନିବେଶକ ୫ ମିଲିୟନ ଡଲାର ଦେଇପାରିବେ ସେମାନଙ୍କୁ ଆମେରିକା ନାଗରିକତ୍ବ ମିଳିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେବ । ଦେଶରେ ନାଗରିକତ୍ବ ସମ୍ପର୍କରେ ଦ୍ବନ୍ଦ୍ବ ରହୁଥିବାରୁ ଅନେକ ନାଗରିକ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରି ସୁଦ୍ଧା ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି କିମ୍ବା ଦେଶ ଛାଡୁଛନ୍ତି । ଦୀର୍ଘକାଳୀନ ରହଣୀ ଲାଗି ଉଦ୍ଦିଷ୍ଟ ଗ୍ରୀନକାର୍ଡ ପରି ଗୋଲ୍ଡ କାର୍ଡ ଯୋଗୁ ଅନେକ ବୈଧ ପ୍ରବାସୀ ଉପକୃତ ହେବେ । ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ନିବେଶକ ଏକ ନିୟୁତି ଡଲାର ନିବେଶ କରିପାରିବେ ଏବଂ ୧୦ଟି ନିଯୁକ୍ତି ଦେଇପାରିବେ ସେମାନଙ୍କୁ EB-5 ଭିସା ଅନୁସାରେ ଆମେରିକାରେ ରହିବା ଲାଗି ଅନୁମତି ମିଳୁଛି । ଏହା ସହ ସେମାନଙ୍କୁ ଗ୍ରୀନକାର୍ଡ ଲାଗି ୫-୭ ବର୍ଷ ଅପେକ୍ଷା କରିବାକୁ ପଡୁଛି । ୧୯୯୦ରୁ ଆରମ୍ଭ ହୋଇଥିବା EB-5 ଭିସା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅବିଯୋଗ ହୋଇଆସୁଛି । ଗୋଲ୍ଡକାର୍ଡ ନୀତି ପରେ ଏହି ନିୟମ ହଟିଯାଇପାରେ । ଆସନ୍ତା ଏପ୍ରିଲରୁ ଗୋଲ୍ଡ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପ୍ରାୟ ୧ କୋଟି କାର୍ଡ ମଞ୍ଜୁର ହେବା ସମ୍ଭାବନା ରହିଛି ।