ଶ୍ରୀମନ୍ଦିରରେ ଦୋଳ ଉତ୍ସବ: ଏକାକାର ହେଲେ ଭକ୍ତ ଓ ଭଗବାନ, ଖେଳିଲେ ଫଗୁ

ପୁରୀ: ଫଗୁ ଆଉ ଅବିର ରଙ୍ଗରେ ରଙ୍ଗାୟିତ ହେଲା ଶ୍ରୀମନ୍ଦିର ଦୋଳ ଉତ୍ସବ । ଏକାକାର ହେଲେ ଭକ୍ତ ଓ ଭଗବାନ । ଶ୍ରୀଜିଉଙ୍କ ସହ ହୋଲି ଖେଳିଲେ ଶ୍ରଦ୍ଧାଳୁ । ଆଜି ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିବା ବେଳେ ରତ୍ନବେଦୀରେ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିଜେ କରି ଦୋଳ ବେଦୀରେ ଖେଳିଲେ ଦୋଳି । ଏହି ଅନନ୍ୟ ଯାତ୍ରାରେ ସାମିଲ ହେଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।

ଦୋଳ ବେଦୀରେ ବିରାଜିଛନ୍ତି ରସରାଜ ଶ୍ରୀକୃଷ୍ଣ । ଆନନ୍ଦ ଉଲ୍ଲାସରେ ରଙ୍ଗ ଖେଳରେ ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ଦୋଳ ଉତ୍ସବ । ସକାଳ ଧୂପ ଶେଷ ହେବା ପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳ ବେଦୀକୁ ବିଜେ କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ । ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କର ସୁନାବେଶ । ସକାଳ ଧୂପ ସମୟରେ ମହାପ୍ରଭୁଙ୍କ ଏହି ବେଶ କରାଯାଇଥିଲା । ଶ୍ରୀଜିଉଙ୍କୁ ପାଟବସ୍ତ୍ର ସହ ବିଭିନ୍ନ ପ୍ରକାରର ଅଳଙ୍କାରରେ ବିଭୂଷିତ କରାଯାଇଥିଲା । ଫଗୁ ଦଶମୀରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପୂର୍ଣ୍ଣମୀରେ ଶେଷ ହୋଇଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥିଲା । ଭକ୍ତମାନେ ମହାପ୍ରଭୁଙ୍କ ସହିତ ରଙ୍ଗ ଖେଳି ବେଶ ଆନନ୍ଦିତ ହେବା ସହିତ ସାନିଧ୍ୟ ଲାଭ କରି ଧନ୍ୟ ମନେ କରିଛନ୍ତି । ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଦୋଳ ବେଦୀରେ ଭକ୍ତି, ପ୍ରେମ ଓ ରଙ୍ଗରେ ଏକାକାର ହୋଇଛନ୍ତି ସଭିଏଁ ।