ମାଲିକକୁ ବଞ୍ଚାଇବାକୁ ଭିଡ଼ି ଗଲା କୁକୁର, ଜୀବନ ବଞ୍ଚାଇ ଦୌଡ଼ିଲେ ଅପହରଣକାରୀ

ଭୋପାଲ: ଯଦି ପଚରା ଯାଏ ମଣିଷର ସବୁଠାରୁ ବିଶ୍ବାସ ଯୋଗ୍ୟ ସାଥୀ କିଏ, ତେବେ ଉତ୍ତର କ’ଣ ଆସିବ ? ନିଃସନ୍ଦେହରେ ଉତ୍ତର ମିଳିବ କୁକୁର । ଆଜ୍ଞା ହଁ, ଆଜିର ଦିନରେ ଯେତେବେଳେ ରକ୍ତ ସମ୍ପର୍କୀୟ ନିଜର ହେଉ ନାହାନ୍ତି ସେତେବେଳେ କୁକୁର ହେଉଛି ଏମିତି ଏକ ପ୍ରାଣୀ ଯିଏ ନିଜ ମାଲିକ ପାଇଁ ଜୀବନ ଦେବାକୁ ପଛାଇ ନଥାଏ । ଏମିତିରେ ବି ସବୁ ପାଳିତ ପଶୁ ଓ ପକ୍ଷୀ ମାଲିକଙ୍କ ପ୍ରତି ପ୍ରଗାଢ଼ ବିଶ୍ବାସ ଦେଖାଇଥାନ୍ତି । କୁକୁର ଏମିତି ଏକ ଜୀବ ଯିଏ ମାଲିକ ପାଇଁ ଜୀବନ ଦେବାକୁ ବି ପଛାଇ ନଥାଏ । ଯାହାର ପ୍ରମାଣ ସମୟେ ସମୟେ ଦେଖିବାକୁ ମିଳିଥାଏ । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଛି । ପାଳିତ କୁକୁର ମାଲିକକୁ କେବଳ ଅପହରଣକାରୀଙ୍କ କବଳରୁ ବଞ୍ଚାଇ ନାହିଁ, ସେମାନଙ୍କୁ ଘଟଣାସ୍ଥଳ ଛାଡ଼ି ପଳାଇବାକୁ ବାଧ୍ୟ କରିଛି । କୁକୁରର ଏହି ବାହାଦୁରୀ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯିଏ ଏହି ଭିଡିଓ ଦେଖୁଛି, କୁକୁରଟିକୁ ପ୍ରଶଂସା ନକରି ରହିପାରୁନାହାନ୍ତି ।

ଘଟଣା ଗ୍ବାଲିୟରର ଥାଟିପୁର ଥାନା ଅନ୍ତର୍ଗତ ଅଶୋକ କଲୋନୀର । ନିତୀନ ନାମକ ବ୍ୟକ୍ତି ଘରେ ଏକଲା ଥିବା ବେଳେ ଏକ ଭ୍ୟାନରେ ୪ରୁ ୫ ଜଣ ଦୁବୃର୍ତ୍ତ ଆସି ତାଙ୍କୁ ମାରପିଟ କରିଥିଲେ । ଏହାପରେ ସେମାନେ ନିତୀନଙ୍କୁ ଜୋରଜବରଦସ୍ତ ଭ୍ୟାନରେ ପୂରାଇ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏହା ଘରେ ଥିବା କୁକୁର ନଜରରେ ପଡି ଯାଇଥିଲା ।

ଜର୍ମାନ ଶେଫର୍ଡ ପ୍ରଜାତୀର କୁକୁରଟି ସଙ୍ଗେ ସଙ୍ଗେ ବୁଝି ଯାଇଥିଲା କ’ଣ ଘଟୁଛି । କାଳ ବିଳମ୍ବ ନକରି କୁକୁରଟି ଦୁବୃର୍ତ୍ତଙ୍କ ଉପରକୁ ଝାମ୍ପ ମାରିଥିଲା । କୁକୁରଟି ଜୋରେ ଭୁକିବା ସହ ଦୁବୃର୍ତ୍ତଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା । ଯାହା ଦେଖି ଅପହରଣକାରୀଙ୍କ ବୁଦ୍ଧି ଗୁଡ଼ମ୍ ହୋଇଯାଇଥିଲା । ସେମାନେ ନିତୀନଙ୍କୁ ଅପହରଣ କରିବେ କ’ଣ ନିଜ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । କୁକୁରଟି ମଧ୍ୟ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଆକ୍ରମଣ କରି ଚାଲିଥିଲା । ଶେଷରେ ଅପହରଣକାରୀ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇଥିଲେ ।

କୁକୁରଟି ଅପହରଣକାରୀଙ୍କୁ ଆକ୍ରମଣ କରିବାର ପୂରା ଭିଡିଓ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା । ପରେ ନୀତିନଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଶୀଘ୍ର ଅଭିଯୁକ୍ତମାନଙ୍କୁ ପୋଲିସ ଧରିନେବ ବୋଲି କହିଛି ।

ଏବେ ଅପହରଣ ଘଟଣା ଯେତିକି ଚର୍ଚ୍ଚାରେ ନାହିଁ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛି କୁକୁରର ବାହାଦୁରୀ । ସବୁଠି ନିତୀନଙ୍କ କୁକୁରର ଚର୍ଚ୍ଚା । କୁକୁରଟି ନିତୀନଙ୍କୁ ଅପହରଣକାରୀଙ୍କଠାରୁ ବଞ୍ଚାଇ ପୁଣି ଥରେ ପ୍ରମାଣିତ କରିଛି ଏହି ସ୍ବାର୍ଥପର ଦୁନିଆରେ ଯଦି କେହି ବିଶ୍ବସ୍ତ ବନ୍ଧୁ ଅଛନ୍ତି ତ କେବଳ ସେ । ଟିକିଏ ଭଲ ପାଇବା ଯଦି ଆମେ କୌଣସି ଜୀବନକୁ ଦେବା ସେ ଏହାର ଋଣ ଶୁଝିବାକୁ ଜୀବନକୁ ବି ବାଜି ଲଗାଇବାକୁ ପଛାଇବ ନାହିଁ ।

Leave a Reply