ଭୁବନେଶ୍ୱରରେ ହେବ କୁକୁର ଗଣନା, ତ୍ୱରାନ୍ୱିତ ହେବ ବାର୍ଥ କଣ୍ଟ୍ରୋଲ

1 min read

ଭୁବନେଶ୍ୱର: ତ୍ବରାନ୍ବିତ ହେବ ବିଏମସିର ABC କାର୍ଯ୍ୟକ୍ରମ । ଦୈନିକ ୧୫୦ କୁକୁରଙ୍କର ହେବ ବନ୍ଧ୍ୟାକରଣ । ଭୁବନେଶ୍ବରରେ BMC କରିବ କୁକୁର ଗଣନା । ସର୍ଭେ ପରେ ନିଆଯିବ ଆବଶ୍ୟକ ପଦକ୍ଷେପ । ଦିନକୁ ଦିନ ହିଂସ୍ର ହେଉଛନ୍ତି ବୁଲା କୁକୁର । କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହେଲେଣି ଜନସାଧାରଣ । ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଏମସି ନେବାକୁ ଯାଉଛି ବଡ଼ ପଦକ୍ଷେପ । ମଞ୍ଚେଶ୍ବରରେ ଖୋଲିବ ଅତ୍ୟାଧୁନିକ ତଥା ବୃହତ ଷ୍ଟାରିଲାଇଜ୍ କେନ୍ଦ୍ର । ଯେଉଁଠି ଦୈନିକ ୧୫୦ କୁକୁରଙ୍କର ଏକା ସଙ୍ଗେ ବନ୍ଧ୍ୟାକରଣ ହୋଇପାରିବ । ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗିପାରିବ ବୋଲି ଲକ୍ଷ୍ୟ ରଖିଛି ବିଏମସି । ଏଥିପାଇଁ ମହାରାଷ୍ଟ୍ରର ଭାଟସ ଫର ଆନିମଲ ନାମକ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରିଛି ବିଏମସି । ପ୍ରତି କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ୧ ହଜାର ୬୫୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।

ଆନିମଲ ବାର୍ଥ କଣ୍ଟ୍ରୋଲ ବା ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ୨୦୦୧ ଅନୁଯାୟୀ କୁକୁରଙ୍କ ଗଣନା ଜରୁରୀ । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ କୁକୁରଙ୍କ ସଂଖ୍ୟା ଗଣନା ପାଇଁ ଅଣ୍ଟା ଭିଡିଛି ବିଏମସି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩ ହଜାର କୁକୁର ଥିବା ଆକଳନ କରାଯାଇଛି । ପୂର୍ବରୁ ଦକ୍ଷିଣ ଦିଲ୍ଲୀ ଓ ଅହମ୍ମଦାବାଦରେ କୁକୁରଙ୍କ ଗଣନା କରାଯାଇଛି । ଭୁବନେଶ୍ବରରେ ଘରୋଇ ସଂସ୍ଥା ଜରିଆରେ ପ୍ରତି ଓ୍ବାର୍ଡ ଓ ସାହିରେ କୁକୁରଙ୍କ ଗଣନା କରାଯିବାକୁ ଯୋଜନା କରିଛି ବିଏମସି । ବିଏମସି ନେବାକୁ ଯାଉଥିବା ବିଭିନ୍ନ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି । ଭୁବନେଶ୍ବରରେ କୁକୁର ଗଣନା କାର୍ଯ୍ୟ କିଭଳି ସଫଳ କାର୍ଯ୍ୟକାରୀ ହେବ ସେନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବିଏମସିର କର୍ପୋରେସନ ବୈଠକରେ ବିସ୍ତୃତ ଆଲୋଚନା ହେବ ।