କ’ଣ ପ୍ରାଣ ପ୍ରତିଷ୍ଠା କାଳରେ ସତରେ ପ୍ରତିମା ସମ୍ମୁଖରେ ରଖାଯାଇଥିବା ଦର୍ପଣ ଭାଙ୍ଗିଯାଏ ?

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ଦିନଠାରୁ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟମାନ ଦେଖିବାକୁ ମିଳୁଛି । ପ୍ରାଣ ପ୍ରତିଷ୍ଠାକୁ ନେଇ ଲୋକଙ୍କ ଉଠୁଥିବା ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ଲୋକେ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ତେବେ ଅଧିକାଂଶ ଲୋକେ ସର୍ଚ୍ଚ କରିଛନ୍ତି କି, କ’ଣ ପ୍ରାଣ ପ୍ରତିଷ୍ଠା କାଳରେ ସତରେ ପ୍ରତିମା ସମ୍ମୁଖରେ ରଖାଯାଇଥିବା ଦର୍ପଣ ଭାଙ୍ଗିଯାଏ ? ଯାହାକୁ ନେଇ ସାଧାରଣରେ ମଧ୍ୟ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜ୍ୟୋତିଷଙ୍କ ମୁତାବକ, ପ୍ରାଣ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଭଗବାନଙ୍କ ଚକ୍ଷ୍ମୁକୁ ପରଦା ଆଢ଼ୁଆଳରେ ରଖାଯାଇଥାଏ । ଏପରିକି ଆଖିକୁ ବନ୍ଦ ରଖାଯାଇଥାଏ । ଏହାସହ କିଛି ଦିନ ପର୍ଯ୍ୟନ୍ତ ବେଦପାଠ କରାଯାଇଥାଏ । ମନ୍ତ୍ରପାଠ ପରେ ମୂର୍ତ୍ତିରେ ଦୈବିକ ଉର୍ଜା ଆସିଥାଏ । ଏଣୁ ଆଖିରୁ ପରଦା ହଟାଇବା ପରେ ସମ୍ମୁଖରେ ରହିଥିବା ଦର୍ପଣ ଭାଙ୍ଗିଯାଇଥାଏ ବୋଲି ବିଶ୍ବାସ ରହିଛି । ୟୁପିର ପ୍ରସିଦ୍ଧ କାଂସଗଜର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସୋରୋର ଜ୍ୟୋତିଷାଚାର୍ଯ୍ୟ ଡ. ଗୌରବ ଦିକ୍ଷିତ କହିଛନ୍ତି କି, ଭଗବାନଙ୍କ ପ୍ରାଣ ପ୍ରତିଷ୍ଠାର ପୁରା ବିଧି ହିସାବରେ ହୋଇଥାଏ । କିଛିଦିନ ଧରି ବୈଦିକ ମନ୍ତ୍ରପାଠ ସହ ପୂଜାର୍ଚ୍ଚନା କରାଯାଇଥାଏ । ବହୁ ସ୍ଥାନରେ ପ୍ରାଣ ପ୍ରତିଷ୍ଠାର ଅନ୍ତିମ ଦିନରେ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଦର୍ପଣ ରଖାଯାଇଥାଏ । ଯାହାକି, ପ୍ରାଣ ପ୍ରତିଷ୍ଠା ହେବା ପରେ ମୂର୍ତ୍ତିର ଉର୍ଜା ପାଇଁ ଭାଙ୍ଗି ଯାଇଥାଏ । ଏହାପରେ ଭଗବାନଙ୍କ ମୂର୍ତ୍ତିରେ ଦୈବିକ ଶକ୍ତି ଜାଗ୍ରତ ହୋଇଥାଏ । ବେଦିକ ଶାସ୍ତ୍ରରେ ଏହାକୁ ଚକ୍ଷୁଦାନ କୁହାଯାଏ ।