ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା। ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର। ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମରୁଡ଼ି। ହାତ ଗଣିତ କିଛି ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀସେବା । ମେଡିସିନ, ଗାଇନିକ, ସର୍ଜରୀ ଓ ପେଡିଆଟ୍ରିକଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ପାନୀୟ ଜଳ ଓ ଶୌଚାଳୟ କଥା ନ କହିଲେ ଭଲ। ପାନୀୟ ଜଳ ଓ ଶୌଚାଳୟ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ପରିତାପର ବିଷୟ ବର୍ଷାଦିନ ପାଣି ଗଳୁଥିବାରୁ ସରକାରୀ ବାସଭବନରେ ଜରି ପାଲ ପକାଇ ରହୁଛନ୍ତି ଡାକ୍ତର ଓ ନର୍ସ । ଅନ୍ୟପଟେ ଡିଜିଟାଲ ଏକ୍ସରେ ମେସିନ ନଥିବାରୁ ଲୋକେ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।
ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୋହନାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ମୋହନା ଭାରପ୍ରାପ୍ତ ଡାକ୍ତର ଜୟ ପଣ୍ଡା l ତେବେ ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା l

