ନିଟ୍-ପିଜି କାଉନସେଲିଂରେ ବିଳମ୍ବ ପ୍ରସଙ୍ଗ, ଡାକ୍ତର ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ

1 min read

ନୂଆଦିଲ୍ଳୀ: ନିଟ୍-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଡାକ୍ତରମାନେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ସମସ୍ତ ଫାଟକ ବନ୍ଦ କରି ଦେଇଥିଲା । ଏହାପରେ ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଅମାନବୀୟ ଭାବେ ଆକ୍ରମଣ କରିଛନ୍ତି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ସୋମବାର ହୋଇଥିବା ସଂଘର୍ଷରେ ଉଭୟ ଡାକ୍ତର ଓ ପୋଲିସ ପକ୍ଷରୁ ଦାବି କରାଯାଇଛି କି ସେମାନଙ୍କ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି ।

ଏହାର ପ୍ରତିବାଦରେ ହଜାର ହଜାର ଡାକ୍ତର ବିଳମ୍ବିତ ରାତିରେ ରାସ୍ତାକୁ ଓହ୍ଲାଇଛନ୍ତି । ଡାକ୍ତର ସଂଗଠନ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଦେଶବ୍ୟାପୀ ହରତାଳ ଘୋଷଣା କରିଛି । ପୋଲିସର ମାଡ଼ ପ୍ରତିବାଦରେ ଦେଶବ୍ୟାପୀ ସ୍ୱାସ୍ଥ୍ୟ ସୁବିଧା ବନ୍ଦ କରିବା ପାଇଁ ଘୋଷଣା କରିଛି ସଂଗଠନ । ଏହାସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ସଙ୍ଗଠନ ଦାବି କରିଛି । ଡାକ୍ତରଙ୍କ ପାଇଁ ଏହା ଏକ କଳା ଦିନ ବୋଲି ସେମାନେ କହିଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ୩ଟି ସରକାରୀ ଡାକ୍ତରଖାନା ସଫଦରଜଙ୍ଗ, ଆରଏମ୍ଏଲ ଏବଂ ଲେଡି ହାର୍ଡିଂ ସମେତ ଅନ୍ୟାନ୍ୟ ସ୍ଥାନରେ ଚିକିତ୍ସା ସେବା ବ୍ୟାହତ ହୋଇଛି ।

ଦିଲ୍ଲୀ ପୋଲିସର ଏସିପି ପିଏସ୍ ଯାଦବ କହିଛନ୍ତି, ଗତକାଲି ହୋଇଥିବା ଆନ୍ଦୋଳନରେ ଆମେ କୌଣସି ଡାକ୍ତରଙ୍କୁ ଆକ୍ରମଣ କରିନାହୁଁ । ଡାକ୍ତରମାନେ ବେଆଇନ ଭାବରେ ଆନ୍ଦୋଳନ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ଅଟକ ରଖାଯାଇଥିଲା  । ଆମେ ଡାକ୍ତରଙ୍କ ବିରୋଧରେ କୌଣସି ମାମଲା ଦାୟର କରିନାହୁଁ ବୋଲି କହିଛନ୍ତି ଏସିପି ପି.ଏସ୍ ଯାଦବ ।

 

Leave a Reply