ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛନ୍ତି ଡକ୍ଟର୍ସ ଆସୋସିଏସନ
1 min readନୂଆଦିଲ୍ଲୀ: ଏଲୋପାଥି ବୟାନକୁ ନେଇ ବଢ଼ୁଛି ବାବା ରାମଦେବଙ୍କ ଅଡ଼ୁଆ । ଆଜି ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛି ଫେଡେରସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ । ତେବେ ଆଜିର ଏହି କଳା ଦିବସ ପାଳନରେ କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେବନାହିଁ ବୋଲି କହିଛି ସଂଘ ।
ଦିଲ୍ଲୀ AIIMS ବାହାରେ ହାତର ପ୍ଳାଂକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଡାକ୍ତର । ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଘୋଷଣା କରିଛି ଯେ ଏହାର ସମସ୍ତ ସଦସ୍ୟ ଡାକ୍ତରମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍ ଡେ ପାଳନ କରୁଛନ୍ତି । ଏହି ସମୟ ମଧ୍ୟରେ, ସମସ୍ତ ସ୍ୱାସ୍ଥ୍ୟ କର୍ମୀ ପିପିଏ କିଟ୍ ଉପରେ ଏକ କଳା ବ୍ୟାଣ୍ଡ ବାନ୍ଧି କାମ କରୁଛନ୍ତି । ତେବେ ଡାକ୍ତରଙ୍କ ଏହି ବିକ୍ଷୋଭରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି ।
ଗତ କିଛିଦିନ ହେବ ଏଲୋପାଥିକୁ ନେଇ କିଛି ବିବାଦୀୟ ବୟାନ ଦେଇଥିଲେ ବାବା ରାମଦେବ । ଯାହାକୁ ଇଣ୍ଡିଆନ ମେଡିକାଲ ସଂଘ ଦୃଢ଼ ବିରୋଧ କରିବା ସହ ଦିଲ୍ଲୀରେ ବାବାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ଏତଲାରେ ବାବା ଟିକାକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ଦର୍ଶାଯାଇଛି ।
ଏଲୋପାଥି ଖାଇ ଲୋକେ ପ୍ରାଣ ହରାଉଛନ୍ତି । ରୋଗୀ ଅକ୍ସିଜେନ ନ ପାଇବା ଭଳି ସଙ୍ଗୀନ ଅଭିଯୋଗ ସଂଘ ପକ୍ଷରୁ କରାଯାଇଥିଲା । ତା’ସହ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଇଣ୍ଡିଆନ ମେଡିକାଲ ସଂଘ । ସେପଟେ ବାବାଙ୍କ ଏପରି ବିବୃତିକୁ ନେଇ ଡାକ୍ତର ସଂଘ ଆଜି କଳାଦିବସ ପାଳୁଥିବା ବେଳେ, ବାବା ରାମଦେବ ବ୍ଲାକ ଫଙ୍ଗସକୁ ନେଇ ପୁଣି ତାଙ୍କର ବିବୃତି ରଖିଛନ୍ତି । ବାବା କହିଛନ୍ତି କି ଖୁବ୍ଶୀଘ୍ର ବ୍ଲାକ ଫଙ୍ଗସ ପାଇଁ ଆସୁଛି ଆୟୁର୍ବେଦିକ ଔଷଧ । ଏହି ଔଷଧର ପ୍ରସ୍ତୁତି ଆଗାମୀ ସପ୍ତାହ ମଧ୍ୟରେ ଶେଷ ହେବ । ଏହି ଔଷଧ ଦ୍ବାରା ବ୍ଲାକ୍, ହ୍ବାଇଟ୍ ଓ ୟେଲୋ ଫଙ୍ଗସ ଭଲ ହୋଇପାରିବ ।