କୋଲକାତା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା : ଦେଶବ୍ଯାପୀ ଆନ୍ଦୋଳନ ଜାରି

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଘଟଣା। ଦେଶର ବିଭିନ୍ନ ସ୍ଥାନରେ ଜାରି ପ୍ରତିବାଦ ଆନ୍ଦୋଳନ। ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ଯାହାର ହେଲା ବୋଲି ଗତକାଲି ଘୋଷଣା କରାଯାଇଥିଲେ ବି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ଦିଲ୍ଲୀ ଏମସ ଆବାସିକ ଡାକ୍ତର ସଂଘ। ଫଳରେ ଆଜି ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି।

ଗତକାଲି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ଯାହାର କରାଗଲା ବୋଲି କହିଥିଲା ଆବାସିକ ଡାକ୍ତର ସଂଘ ବା ଫୋର୍ଡା । ଏହା ସହ ମେଡିକାଲ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ଯସେବା ସୁରକ୍ଷା ଆଇନ ଲାଗୁ କରାଯିବ ବୋଲି କହିଥିଲେ ନଡ୍ଡା। ସେପଟେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ସର୍ବଭାରତୀୟ ମେଡିକାଲ ସଂଘ ବା ଏଫଏଆଇଏମଏ।

ସେହିପରି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ଆବାସିକ ଡାକ୍ତର ସଂଘ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଜୁନିଅର ଡାକ୍ତର ସଂଘ, ପାଟନା, ଭବୁନେଶ୍ବର, ଋଷିକେଶ, ମଙ୍ଗଳଗିରି ଏମସ ଡାକ୍ତର ସଂଘ, ବେଙ୍ଗାଲୁରୁ ନିମହାନ୍ସ, ପିଜିଆଇ ଚଣ୍ଡୀଗଡ଼, କେଜିଏମୟୁ ଲକ୍ଷ୍ମୌ ଆଦି ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି।