ଡାକ୍ତରଙ୍କ ଘୃଣ୍ୟ କାରନାମା, ୩୪୯ ଶିଶୁଙ୍କ ସହ ଯୌନ ଶୋଷଣ ଅଭିଯୋଗରେ ହେଲେ ଗିରଫ

ଫ୍ରାନ୍ସ : ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ କି ୨ ଜଣ ନୁହେଁ । ୩୪୯ ଝିଅଙ୍କୁ ଦୁଷ୍କର୍ମ ଓ ଯୌନ ଶୋଷଣ କରିବା ଭଳି ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୬୮ ବର୍ଷୀୟ ଏହି ଡାକ୍ତରଙ୍କ ବିରୋଧରେ ଯାଞ୍ଚ ହେବା ପରେ ଓକିଲ ଏଭଳି ସୂଚନା ଦେଇଛନ୍ତି । ବର୍ତ୍ତମାନ ସଂପୃକ୍ତ ଡାକ୍ତରଙ୍କୁ ଜେଲକୁ ପଠାଇ ଦିଆଯାଇଛି । 

ଶୁକ୍ରବାର ଫ୍ରାନ୍ସର ବ୍ରିଟେନ ସହରର ଓକିଲ ଲରେଲିନ ପିରୋଫିଟ କହିଛନ୍ତି ଯେ, ଡାକ୍ତରଙ୍କ ଏଭଳି ଆଚରଣର ଶିକାର ହୋଇଥିବା ପୀଡ଼ିତାଙ୍କ ସଂଖ୍ୟା ୩୪୯ ହୋଇପାରେ । ନିଜ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୬୮ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ଜୋଏଲ ଲି. ସ୍କୋର୍ନେକ ଏହି ଅପରାଧରେ ସାମିଲ ଥିବା ସ୍ୱୀକାର କରିଛନ୍ତି ।

ସୂଚନା ଅନୁଯାୟୀ, ଜୋଏଲ ଏକ ଡାଏରୀ ରଖିଥିଲେ, ଯେଉଁଥିରେ ସେ ଶିଶୁ ମାନଙ୍କ ପ୍ରତି କରୁଥିବା ଯୌନ ଆକ୍ରମଣ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଲେଖି ରଖିଥିଲେ । ପୋଲିସର ତନାଘନା ସମୟରେ ଏହି ଡାଏରୀଟିକୁ ଜବତ କରାଯାଇଥିଲା ଯେଉଁଥିରେ ଶିଶୁଙ୍କ ନାଁ ମଧ୍ୟ ଲେଖା ଯାଇଥିଲା । ପରବର୍ତ୍ତୀ ସମୟରେ ସେହି ଶିଶୁ ମାନଙ୍କ ପରିବାର ସହ ସଂପର୍କ କରିବା ପୋଲିସ ପକ୍ଷେ ସହଜ ହୋଇଥିଲା । ଅନ୍ୟପଟେ ଡାକ୍ତରଙ୍କ ଓକିଲ ସେହି ଡାଏରୀଟି ନକଲି ବୋଲି କହି କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ।

ଫ୍ରାନ୍ସରେ ଏହି ଘଟଣାକୁ ଶିଶୁଙ୍କ ଉପରେ ହୋଇଥିବା ଯୌନ ହିଂସାର ସବୁଠୁ ବଡ଼ ମାମଲା ବୋଲି ଧରାଯାଉଛି । ତେବେ ୪ ଜଣ ଶିଶୁଙ୍କ ବୟାନ ମୁତାବକ ଡାକ୍ତରଙ୍କ ବିରୋଧରେ ଆସନ୍ତା ବର୍ଷ ମାର୍ଚ୍ଚରେ ଅଦାଲତରେ ବିଚାର ଆରମ୍ଭ ହେବ ।

ଜୋଏଲ ଜଣେ ପେଟ ରୋଗ ସମ୍ବନ୍ଧିତ ସର୍ଜନ । ନିଜ କ୍ୟାରିୟର ମଧ୍ୟରେ ଡାକ୍ତର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନାରେ କାମ କରିଛନ୍ତି । ଡାକ୍ତରଙ୍କ ବିରୋଧରେ ଜଣେ ୬ ବର୍ଷର ଶିଶୁଙ୍କ ସମେତ ତାଙ୍କର ଜଣେ ସଂପର୍କୀୟଙ୍କ ସହ ଯୌନ ଶୋଷଣ କରିଥିବାର ଅଭିଯୋଗ ରହିଛି । ଯେହେତୁ କିଛି ଘଟଣା ବହୁ ବର୍ଷ ପୁରୁଣା ତେଣୁ ତା ଉପରେ ମୋକଦ୍ଦମା କରିବା ସମ୍ଭବ ନୁହେଁ ବୋଲି ଓକିଲ କହିଛନ୍ତି ।

Leave a Reply