ସନ୍ଦେହ ଘେରରେ ଶୁଭଶ୍ରୀଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ପ୍ରେମିକଙ୍କ ସହ ଫଟୋ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ସହ ପ୍ରେମିକ ଦିବ୍ୟରଞ୍ଜନଙ୍କ ଫଟୋ । ଉଭୟେ କୌଣସି ସ୍ଥାନକୁ ବୁଲିବାକୁ ଯାଇଥିବା ବେଳେ ଏହି ଫଟୋ ଉଠାଇଥିବା ଜଣାପଡୁଛି । ସେପଟେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁକୁ ନେଇ ଧିରେ ଧିରେ ଘନୀଭୂତ ହେଉଛି ସନ୍ଦେହ । କ’ଣ ଘଟିଥିଲା ଡିସେମ୍ବର ୩୧ ତାରିଖ ରାତିରେ ? ନିଜ ସହକର୍ମୀଙ୍କ ସହ ନାଚଗୀତରେ ମସଗୁଲ ଥିବା ଶୁଭଶ୍ରୀ, ରାତି ଗୋଟାଏ ୪୫ ପରେ କାହିଁକି ନେଲେ ଚରମ ନିଷ୍ପତ୍ତି ? ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାତି ଗୋଟାଏ ୪୫ ପରେ ସେ କାହା ସହିତ କଥା ହୋଇଥିଲେ କି ?

ସେପଟେ ଯୋଡ଼ା ଥାନାରେ ଡାକ୍ତର ଶୁଭଶ୍ରୀ ଗତ ୨୦ ତାରିଖରେ ଦେଇଥିବା ଏଫଆଇଆର ଘଟଣାକୁ ନୂଆ ମୋଡ ଦେଇଛି । ଏଥିରେ ସେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଉଭୟ ଡାକ୍ତର ଶୁଭଶ୍ରୀ ଓ ଡାକ୍ତର ଦିବ୍ୟରଞ୍ଜନ ଏମକେସିଜି ମେଡିକାଲ କଲେଜରେ ଏକାଠି ପାଠ ପଢ଼ୁଥିଲେ । ପାଠ ପଢ଼ିବା ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯୋଡାରେ ଚାକିରି କରିବା ପରେ ମଧ୍ୟ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । କିନ୍ତୁ କିଛି ଦିନ ଧରି ଡାକ୍ତର ଦିବ୍ୟରଞ୍ଜନ ଶୁଭଶ୍ରୀଙ୍କ ଫୋନ ନଉଠାଇବାରୁ, ଗତ ୨୦ ତାରିଖରେ ଡାକ୍ତର ଦିବ୍ୟରଞ୍ଜନଙ୍କ ବିରୋଧରେ ଏତଲା ଦେଇଥିଲେ ଶୁଭଶ୍ରୀ । ଏତଲା ଦେବାର ଘଣ୍ଟାଏ ପରେ ଶୁଭଶ୍ରୀ ମାମଲା ପ୍ରତ୍ୟାହାର କରିବାକୁ ଚାହିଁଥିଲେ ।

କିନ୍ତୁ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ କୋର୍ଟରେ ୧୬୪ ଧାରା ଅନୁସାରେ ବଡ଼ବିଲ ଜେଏମଏଫସି କୋର୍ଟରେ ଶୁଭଶ୍ରୀଙ୍କ ବୟାନ ରେକର୍ଡ କରିଥିଲା । ଏବଂ ପରେ ନୋଟାରୀଙ୍କ ନିକଟରେ ଓକିଲଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁଯାୟୀ, କେହି କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବେ ନାହିଁ । ଏବଂ ଉଭୟ ନିଜସ୍ବ ଜୀବନ କାଟିବେ ବୋଲି ସତ୍ୟପାଠ ଜରିଆରେ ଆପୋଷ ବୁଝାମଣା କରିଥିଲେ । ଡିସେମ୍ବର ୩୧ ରାତିରେ ଶୁଭଶ୍ରୀ ଚାଓମିନ୍, ଗୁପଚୁପ, କେକ୍ ଖାଇବା ପରେ ଚା’ ପିଇଥିବା ଜଣାପଡିଛି । ତାଙ୍କ ଘରୁ ଦୁଇଟି ବୋତଲ ଜବତ ହୋଇଛି । କିନ୍ତୁ ତାହା ବିଷ ବୋତଲ କି ନୁହେଁ ସ୍ପଷ୍ଟ ହୋଇନି ।

ଶୁଭଶ୍ରୀଙ୍କ ମୃତଦେହରେ କୌଣସି ବାହ୍ୟ କ୍ଷତ ନଥିଲା । ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଏହିସବୁ ଘଟଣା ଏବେ ଅନେକ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଖୋଳତାଡ ପାଇଁ ପୋଲିସ ଡାକ୍ତର ଶୁଭଶ୍ରୀଙ୍କ ମୋବାଇଲ ଜବତ କରିବା ସହ କଲ ରେକର୍ଡ ଯାଞ୍ଚ କରୁଛି । ଏଥିସହିତ ତଦନ୍ତ ପାଇଁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ନୂଆବର୍ଷ ସେଲିବ୍ରେଟ କରିବା ପରେ ଶୁଭଶ୍ରୀ ଖଟରେ ଶୋଇଥିବା ବେଳେ ମୃତ୍ୟୁ ହୋଇଛି । ତେଣୁ ଶୁଭଶ୍ରୀଙ୍କ ମୃତ୍ୟୁ ସ୍ବାଭାବିକ ଥିଲା ନା ସେ ଆତ୍ମହତ୍ୟା କରିଛନ୍ତି ତାହା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବ । ଏଥିପାଇଁ ଶୁଭଶ୍ରୀଙ୍କ ଭିସେରା ପରୀକ୍ଷା କରାଯିବ। ଯଦି ଆତ୍ମହତ୍ୟା କରିଥାନ୍ତି ତେବେ ତାଙ୍କୁ କିଏ ଏଥିପାଇଁ ପ୍ରବର୍ତ୍ତାଇ ଥିଲା ସେନେଇ ପୋଲିସ ତଦନ୍ତ କରିବ । ସେପଟେ ଜେଏସଡବ୍ଲୁ ନୂଆଗାଁ ଡିସପେନସାରିରେ କାମ କରୁଥିବା ଡାକ୍ତର ଦିବ୍ୟରଞ୍ଜନ ଗତ ୨୭ ତାରିଖରୁ ଇସ୍ତଫା ଦେଇ ପଳାଇଥିବା ଜଣାପଡିଛି ।