ଆସନ୍ତା ୨୪ରୁ ରାୟଗଡା ଜିଲ୍ଲାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ !
1 min read
ଭୁବନେଶ୍ବର : OAS ଅଧିକାରୀଙ୍କ ପ୍ରତିବାଦ ପରେ ଏବେ ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ। ଆସନ୍ତା ୨୪ରୁ ରାୟଗଡା ଜିଲ୍ଲାରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। କଲ୍ୟାଣସିଂହପୁର ମେଡିକାଲ ଅଫିସର ଡାକ୍ତର ସୁମିରନ ରାଉତଙ୍କୁ ପୋଲିସର ଅତ୍ୟାଚାର ଓ କଙ୍ଗାରୁ କୋର୍ଟରେ ବିଚାର ପ୍ରତିବାଦରେ ସରକାରଙ୍କୁ ଏଭଳି ଚରମବାଣୀ ଶୁଣାଇଛି ଡାକ୍ତରୀ ସେବା ସଂଘ ଓମସା। କଲ୍ଯାଣସିଂହପୁର ମେଡ଼ିକାଲ ଅଫିସର ଇନଚାର୍ଜ ଡାକ୍ତର ସୁମିରନ ରାଉତ ଆଉଟଡୋର ସାରି ଫିଲଡ଼ ଭିଜିଟ କରିଥିଲେ। ଆଶା କର୍ମୀ ଓ ହେଲଥ ୱାର୍କରଙ୍କ ସହ ସଂଜୀଲି ଗାଁକୁ ଯାଇଥିଲେ। ଏକ ଟ୍ରେନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଡାକ୍ତର ସୁମିରନଙ୍କୁ ଦାୟୀ କରାଗଲା।ଡାକ୍ତରଙ୍କୁ ଅପହରଣ ଭଳି ଢଙ୍ଗରେ ଉଠାଇ ନେଇ ଅକଥନୀୟ ଯନ୍ତ୍ରଣା ଦିଆଗଲା। ଚାନ୍ଦିଲି ଥାନାକୁ ପୋଲିସ ଜିପରେ ଉଠାଇ ନେଇ ୧୮ ଘଣ୍ଟା ଅଟକ ରଖାଗଲା। ତାଙ୍କ ସହ ଡେଣ୍ଟାଲ ସର୍ଜନ ହୀରା ଚାନ୍ଦ ମଧ୍ୟ ଥିଲେ। ଏହାକୁ ପୋଲିସର କଙ୍ଗାରୁ କୋର୍ଟ ବୋଲି ଅଭିଯୋଗ କରିଛି ରାଜ୍ୟ ଡାକ୍ତର ସଂଘ। ପୋଲିସ ଡାକ୍ତରଙ୍କୁ ଦଶ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ମଧ୍ୟ ଛଡାଇ ନେଲେ। କାହାକୁ ଯୋଗାଯୋଗ କରିବାର ସୁଯୋଗ ଦେଇନଥିଲେ।୧୮ ଘଣ୍ଟା ପରେ ଡାକ୍ତର ଦୁଇ ଲକ୍ଷ ଦେବାକୁ ରାଜି ହେବାରୁ ଛଡ଼ାଗଲା। ପୋଲିସ ଷ୍ଟେସନରେ ସାଧା କାଗଜରେ ଜବରଦସ୍ତ ଦସ୍ତଖତ ମଧ୍ୟ ନିଆଗଲା। ପ୍ରଶାସନ ସ୍ଥାଣୁ ପାଲଟିଥିବା ଅଭିଯୋଗ କରିଛି ସଂଘ। ଏସପି ଓ ଜିଲ୍ଲାପାଳ ଉଦାସୀନ। ସ୍ୱାସ୍ଥ୍ୟ ଓ ଗୃହ ସଚିବଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ଓମସା। କହିଛନ୍ତି, ଏଭଳି ଯନ୍ତ୍ରଣାରେ ଯୁବ ଡାକ୍ତରମାନେ ଆଉ ଡ୍ୟୁଟି କରିବେ ନାହିଁ। ଏଭଳି ହେଲେ ଆତ୍ମହତ୍ୟାର ଖବର ଆସିବ।ଭଙ୍ଗା ଘରେ ସେମାନେ ରୋଗୀ ସେବା ଦେଉଛନ୍ତି।ଏହାକୁ ବରଦାସ୍ତ କରାଯିବ ନାହିଁ।ଏହାର ନ୍ୟାୟ ନମିଳିଲେ ଆସନ୍ତା ୨୪ରୁ ରାୟଗଡାରେ ଡାକ୍ତରମାନେ ଆଉ ଡ୍ୟୁଟି କରିବେ ନାହିଁ। ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଡିଜି ହସ୍ତକ୍ଷେପ କରନ୍ତୁ। ଜିଲ୍ଲା ପ୍ରଶାସନ ଓ ଏସପି ସହଯୋଗ କରୁନାହାନ୍ତି।ଡାକ୍ତରମାନେ ମାନସିକ ଯନ୍ତ୍ରଣା ମଧ୍ୟରେ ରହିଛନ୍ତି। କୌଣସି ଘଟଣାରେ ଡାକ୍ତର ସୁମିରନ ରାଉତ ନଥିବା ବେଳେ ପୋଲିସ ମିଛରେ ଡାକ୍ତରଙ୍କୁ କଙ୍ଗାରୁ କୋର୍ଟ କରିବା ନିନ୍ଦନୀୟ ବୋଲି କହିଛି ସଂଘ। ନ୍ୟାୟ ନମିଳିଲେ ପ୍ରଥମେ ରାୟଗଡା ଓ ପରେ ସାରା ରାଜ୍ୟରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛି ଓଡିଶା ଡାକ୍ତରୀ ସେବା ସଂଘ ଓମସା