ଅସଲି ଆଖି ତାଡି ନେଇ କାଚବାଟି ଲଗାଇ ଦେଲେ ଡାକ୍ତର

ଜମସେଦପୁର: ରୋଗୀଙ୍କ ଆଖି ତାଡି ନେଲେ ଡାକ୍ତର । ଆଉ ଲଗାଇ ଦେଲେ ପିଲାମାନେ ଖେଳୁଥିବା କାଚବାଟି  । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି  ଝାଡଖଣ୍ଡର ଜାମସେଦପୁରରୁ  । ଘଟଣା ପରେ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳିଯାଇଛି  । ପିଡିତ ଆଦିବାସୀ ଗଙ୍ଗାଧର ସିଂ କେସିସି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି  ।

 

ଜମସେଦପୁରରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ଏକ ଆଦିବାସୀ ଗାଁ  । ପାଖାପାଖି ୧୫ ପରିବାର ରହୁଥିବା ଏହି ଗାଁରେ ରୁହନ୍ତି ଗଙ୍ଗାଧର  । ଆଖି ସମସ୍ୟା ନେଇ ଗାଁର ଜଣେ ମହିଳାଙ୍କ ସହ କଥା ହୋଇଥିଲେ ଗଙ୍ଗାଧର   । ଯାହା ପରେ ମହିଳା ଜଣକ ମଧ୍ୟ ତାଙ୍କୁ ଏକ ଏନଜିଓ ସହ କଥା କରାଇ ଦେଇଥିଲେ ।

 

ଗତବର୍ଷ ନଭେମ୍ବରରେ ତାଙ୍କୁ ହସ୍ପିଟାଲକୁ ଆଣି ଉକ୍ତ ଏନଜିଓ ଅସ୍ତ୍ରୋପଚାରର ବ୍ୟବସ୍ଥା କରିଥିଲା  । ଗଙ୍ଗାଧରଙ୍କ ସହ ଗାଁର ଆଉ କିଛି ଗ୍ରାମବାସୀ ମଧ୍ୟ ଆଖି ଅସ୍ତ୍ରୋପଚାର କରିଥିଲେ  । ଏହାର କିଛି ଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡାଇ ହେବାକୁ ଲାଗିଥିଲା  । ଏହାପରେ ପୁଣି ଥରେ ତାଙ୍କୁ ଜମସେଦପୁର, ରାଞ୍ଚି ଓ କୋଲକାତା ନେଇ ପରିବାର ଲୋକେ ଚିକିତ୍ସା କରାଇଥିଲେ  । ତଥାପି ତାଙ୍କ ସମସ୍ୟାର କୌଣସି ସମାଧାନ ହୋଇନଥିଲା  ।

 

ଦିନେ ଆଖିରେ ଜଳାପୋଡା ସମ୍ଭାଳି ନ ପାରି ଦୁଇ ଆଖିରେ ପାଣି ଢାଳି ଦେଇଥିଲେ ଗଙ୍ଗାଧର  । ଆଉ ଏହାର କିଛି ସମୟରେ ହିଁ ତାଙ୍କ ଆଖିର ଡୋଳା ବାହାରକୁ ବାହାରି ଆସିଥିଲା  । ଯାହା ଦେଖି ଡରି ଯାଇଥିଲେ ଗଙ୍ଗାଧର  । ସେ ତୁରନ୍ତ ଆଇବଲ୍‌ ଧରି ହସ୍ପିଟାଲରେ ପହଞ୍ଚିଥିଲେ  । ସେଠାରେ ଯାଞ୍ଚ ପରେ ଡାକ୍ତରଙ୍କ କେଳେଙ୍କାରୀ ପଦାରେ ପଡିଥିଲା  ।

ଗଙ୍ଗାଧରଙ୍କ ଅସଲି ଆଖି ତାଡି ନକଲି କାଚବାଟି ଡାକ୍ତର ଲଗାଇଥିବା ସେ ଜାଣିବାକୁ ପାଇଥିଲେ  । ଏହି ଘଟଣାରେ ଅପରେସନ କରିଥିବା ଡାକ୍ତର ଓ ଉକ୍ତ ମହିଳାଙ୍କୁ ଖୋଜୁଛି ପୋଲିସ  ।