ଅସଲି ଆଖି ତାଡି ନେଇ କାଚବାଟି ଲଗାଇ ଦେଲେ ଡାକ୍ତର
ଜମସେଦପୁର: ରୋଗୀଙ୍କ ଆଖି ତାଡି ନେଲେ ଡାକ୍ତର । ଆଉ ଲଗାଇ ଦେଲେ ପିଲାମାନେ ଖେଳୁଥିବା କାଚବାଟି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ଝାଡଖଣ୍ଡର ଜାମସେଦପୁରରୁ । ଘଟଣା ପରେ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳିଯାଇଛି । ପିଡିତ ଆଦିବାସୀ ଗଙ୍ଗାଧର ସିଂ କେସିସି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ।
ଜମସେଦପୁରରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ଏକ ଆଦିବାସୀ ଗାଁ । ପାଖାପାଖି ୧୫ ପରିବାର ରହୁଥିବା ଏହି ଗାଁରେ ରୁହନ୍ତି ଗଙ୍ଗାଧର । ଆଖି ସମସ୍ୟା ନେଇ ଗାଁର ଜଣେ ମହିଳାଙ୍କ ସହ କଥା ହୋଇଥିଲେ ଗଙ୍ଗାଧର । ଯାହା ପରେ ମହିଳା ଜଣକ ମଧ୍ୟ ତାଙ୍କୁ ଏକ ଏନଜିଓ ସହ କଥା କରାଇ ଦେଇଥିଲେ ।
ଗତବର୍ଷ ନଭେମ୍ବରରେ ତାଙ୍କୁ ହସ୍ପିଟାଲକୁ ଆଣି ଉକ୍ତ ଏନଜିଓ ଅସ୍ତ୍ରୋପଚାରର ବ୍ୟବସ୍ଥା କରିଥିଲା । ଗଙ୍ଗାଧରଙ୍କ ସହ ଗାଁର ଆଉ କିଛି ଗ୍ରାମବାସୀ ମଧ୍ୟ ଆଖି ଅସ୍ତ୍ରୋପଚାର କରିଥିଲେ । ଏହାର କିଛି ଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡାଇ ହେବାକୁ ଲାଗିଥିଲା । ଏହାପରେ ପୁଣି ଥରେ ତାଙ୍କୁ ଜମସେଦପୁର, ରାଞ୍ଚି ଓ କୋଲକାତା ନେଇ ପରିବାର ଲୋକେ ଚିକିତ୍ସା କରାଇଥିଲେ । ତଥାପି ତାଙ୍କ ସମସ୍ୟାର କୌଣସି ସମାଧାନ ହୋଇନଥିଲା ।
ଦିନେ ଆଖିରେ ଜଳାପୋଡା ସମ୍ଭାଳି ନ ପାରି ଦୁଇ ଆଖିରେ ପାଣି ଢାଳି ଦେଇଥିଲେ ଗଙ୍ଗାଧର । ଆଉ ଏହାର କିଛି ସମୟରେ ହିଁ ତାଙ୍କ ଆଖିର ଡୋଳା ବାହାରକୁ ବାହାରି ଆସିଥିଲା । ଯାହା ଦେଖି ଡରି ଯାଇଥିଲେ ଗଙ୍ଗାଧର । ସେ ତୁରନ୍ତ ଆଇବଲ୍ ଧରି ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଯାଞ୍ଚ ପରେ ଡାକ୍ତରଙ୍କ କେଳେଙ୍କାରୀ ପଦାରେ ପଡିଥିଲା ।
ଗଙ୍ଗାଧରଙ୍କ ଅସଲି ଆଖି ତାଡି ନକଲି କାଚବାଟି ଡାକ୍ତର ଲଗାଇଥିବା ସେ ଜାଣିବାକୁ ପାଇଥିଲେ । ଏହି ଘଟଣାରେ ଅପରେସନ କରିଥିବା ଡାକ୍ତର ଓ ଉକ୍ତ ମହିଳାଙ୍କୁ ଖୋଜୁଛି ପୋଲିସ ।