spot_img

Latest Posts

ମାତାଲ ଡାକ୍ତର ଏମିତି କରୁଛନ୍ତି ରୋଗୀ ସେବା !

ଢେଙ୍କାନାଳ: ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସାଧାରଣ ରୋଗୀଙ୍କ ପାଇଁ ବଡ଼ ଭରସା । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ, ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସବୁ ପ୍ରକାରର ସୁବିଧା ସୁଯୋଗ ମିଳେନାହିଁ । ଯଦି ଡାକ୍ତର ଥିବେ ତେବେ ଔଷଧ ନଥିବ ଯଦି ଔଷଧ ଥିବ ତେବେ ଡାକ୍ତର ନଥିବେ । ଆଜି କିନ୍ତୁ ଆମେ ଆପଣଙ୍କୁ ଏମିତି ଗୋଟିଏ ଡାକ୍ତରଖାନା ଓ ତା’ର ଡାକ୍ତରଙ୍କ କଥା କହିବୁ ଯିଏ ରୋଗୀ ସେବାକୁ ସତରେ ନିଜ ନିଶା ଭାବେ ଗ୍ରହଣ କରି ନେଇଛନ୍ତି । ଆଉ ପେଶାକୁ ଏତେ ଗମ୍ଭୀରତାର ସହିତ ନିଶା କରିଛନ୍ତି ଯେ, ଡାକ୍ତରଖାନାକୁ ମଦ ପିଇ ଆସୁଛନ୍ତି । ଆଉ ରୋଗୀ ସେବା କରୁକରୁ ମଦ ନିଶାରେ ନିଜେ ନିଦ୍ରା ଯାଉଛନ୍ତି । 

ଏହିଭଳି ଜଣେ ଡାକ୍ତରଙ୍କ କାରନାମ କ୍ୟାମେରାରେ କଏଦ ହୋଇଛି । ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର୍ ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ଡାକ୍ତର ହୋସ୍‌ରେ ଥିଲେ ସିନା ଉଠିବେ। ତେବେ କିଛି ସମୟ ପରେ ଆଉ ଜଣେ ଡାକ୍ତର ମଦୁଆ ଡାକ୍ତରଙ୍କୁ ଉଠାଇବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ହେଲେ ମଦ ପିଇ ରୋଗୀ ସେବା କରୁଥିବା ଏପରି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କ ଭରସା ତୁଟିବାକୁ ବସିଲାଣି। କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ପୋଲିସକୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚା ଆସିଥିଲେ।

Latest Posts

Don't Miss