କାହିଁକି ନାଗ ମୃତ୍ୟୁର ପ୍ରତିଶୋଧ ନିଏ ନାଗୁଣୀ ?
ନନ୍ଦିଘୋଷ ବ୍ୟୁରୋ: ଭାରତରେ ନାଗ ନାଗୁଣୀକୁ ନେଇ ଅନେକ ଲୋକକଥା ରହିଛି । ଯଦି ନାଗକୁ ହତ୍ୟା କରାଯାଏ ତା ଆଖିରେ ହତ୍ୟା କରିଥିବା ଲୋକର ଫଟୋ ଉଠିଯାଏ । ଏହା ପରେ ନାଗୁଣୀ ନିଜ ପାର୍ଟନର ମୃତ୍ୟୁର ପ୍ରତିଶୋଧ ନିଶ୍ଚୟ ନେଇଥାଏ । ଏହି କାରଣରୁ ଆଜି ବି ନାଗ ନାଗୁଣୀକୁ ମାରିଦେବା ପରେ ତା ମୁଣ୍ଡକୁ ନଷ୍ଟ କରିଦିଆଯାଏ ନଚେତ ପୋତି ଦିଆଯାଇଥାଏ । ବଲିଉଡର ଅନେକ ଫିଲ୍ମ ନାଗ ନାଗୁଣୀ ପ୍ରତିଶୋଧ ଉପରେ ଆଧାରିତ । ପ୍ରାୟତଃ କାହାଣୀରେ ନାଗୁଣୀ ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳେ । କିନ୍ତୁ ନାଗୁଣୀର ପ୍ରତିଶୋଧ କାହାଣୀକୁ ନେଇ ଠିକ ଓଲଟା ତଥ୍ୟ ଦିଏ ବିଜ୍ଞାନ ।
ମିଶନ ସ୍ନକ ଡେଥ୍ ଫ୍ରି ଇଣ୍ଡିଆର କୋଡିନେଟର ଡ. ଆଶିଷ ତ୍ରିପାଠୀଙ୍କ କହିବାନୁସାରେ ନାଗ ନାଗୁଣୀ ପ୍ରତିଶୋଧ ନେବା କାହାଣୀ ବିଜ୍ଞାନ ମୁତାବକ ସମ୍ଭବ ନୁହେଁ । ନାଗ ବା ନାଗୁଣୀ ଆଖିରେ କୌଣସି ଫଟୋ ଷ୍ଟୋର ହୋଇପାରେ ନାହିଁ । ନାଗୁଣୀର ପ୍ରତିଶୋଧ କାହାଣୀ ସମ୍ପୂର୍ଣ୍ଣ ରୂପେ ମନଗଢା । ଏହା ପଛରେ ଆଉ କିଛି ବୈଜ୍ଞାନିକ କାରଣ ରହିଛି ।
ଡାକ୍ତରଙ୍କ ଅନୁସାରେ ସାପ ବା ଅନ୍ୟ ଜୀବଜନ୍ତୁଙ୍କ ଶରୀରରେ ଫେରୋମୋନ୍ସ ରହିଥାଏ । ଫେରୋମୋନ ହେଉଛି ଜୀବଜନ୍ତୁଙ୍କ ଦ୍ବାରା ନିର୍ଗତ ହେଉଥିବା ରସାୟନିକ ସଙ୍କେତ । ନାଗ ନାଗୁଣୀ ପ୍ରତିଶୋଧ ନେବା କାହାଣୀ ପଛରେ ଫେରୋମୋନ୍ସ ହି କାମ କରିଥାଏ । ଯେତେବେଳେ ନାଗ ବା ନାଗୁଣୀକୁ ହତ୍ୟା କରାଯାଏ ,ସେହି ସମୟରେ ସେମାନେ ପରିସ୍ରା କରିଥାନ୍ତି । ଏହି ପରିସ୍ରାରେ ଫେରୋମୋନ୍ସ ଥାଏ । ଜୀବନ୍ତ ଥିବାବେଳେ ଫେରୋମୋନ୍ସ ଅଲଗା ଥିବା ବେଳେ ମୃତ୍ୟୁ ପରେ ଏହା ଭିନ୍ନ ହୋଇଥାଏ । ଏହା ପରେ ଫେରୋମୋନ୍ସ ଶୁଙ୍ଘି ଅନ୍ୟ ନାଗ ବା ନାଗୁଣୀ ଜାଣିପାରନ୍ତି ଯେ ଏଠାରେ ଆମର କୌଣସି ସାଥୀଙ୍କୁ ମରାଯାଇଛି ।
ନାଗର ଫେରୋମୋନ୍ସକୁ ଅନୁଭବ କରିବା ପରେ ନାଗୁଣୀ ଆକ୍ରୋଶିତ ହୋଇପଡେ । ଏଭଳି ସ୍ଥଳେ ଯେଉଁ ବି ମଣିଷ ନାଗୁଣୀ ସାମନାକୁ ଆସେ ନାଗୁଣୀ ତାକୁ ମାରିବାକୁ ଚେଷ୍ଟା କରିଥାଏ । ଏହା ପଛରେ ବି ଆଉ ଏକ କାରଣ ରହିଛି । ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ନାଗ ନାଗୁଣୀ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି । ଯେଉଁ କାରଣରୁ ଯେ କେହି ବି ମମିଷ ନାଗ ନାଗୁଣୀ ସାମନାକୁ ଆସିଲେ ତାକୁ ସେମାନେ ଟାର୍ଗେଟ କରିଥାନ୍ତି ।
ସେହିପରି ନାଗ ବା ନାଗୁଣୀକୁ ମାରିବା ପରେ ସାଧାରଣତଃ ଲୋକେ ଏହାକୁ ପୋତି ଦିଅନ୍ତି ବା ଜଳାଇ ଦେଇଥାନ୍ତି । ଏହା କରିବା ସତ୍ତ୍ବେ ବି ଘଟଣାସ୍ଥଳରେ ଫେରୋମୋନ୍ସ ମହଜୁଦ ଥାଏ । ଯାହାକୁ ନାଗ ବା ନାଗୁଣୀ ଶୁଙ୍ଘିକରି ସାଥୀଙ୍କୁ ମରାଯାଇଥିବା ଜାଣିପାରେ ।