ସାମାନ୍ୟ ଥଣ୍ଡା ଜ୍ବର ହେଲେ କରନ୍ତୁ କରୋନା ଟେଷ୍ଟ

ଭୁବନେଶ୍ବର: ଲକ୍ଷଣ ବଦଳାଉଛି କରୋନା । ରାଜ୍ୟରେ କରୋନା ସ୍ଥିତି ଉପରେ ରହିଛି କଡା ନଜର । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ଦିଆଯାଉଛି ଗୁରୁତ୍ବ । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନେ ସୁରକ୍ଷିତ ହୋଇପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସୁନ୍ଦରଗଡ ଓ ବୁର୍ଲାର ଭୀମସାରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି, ‘ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଭୀମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଚିହ୍ନଟ ବ୍ୟକ୍ତିଙ୍କଠାରେ ସିଭିୟରିଟି କମ୍‌ ରହିଛି । ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ।’

ସେ ଆହୁରି କହିଛନ୍ତି, ‘ଯେହେତୁ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ହଷ୍ଟେଲରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ୪ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିଯିବ ।’

ବର୍ତ୍ତମାନ ଲୋକେ କରୋନ ନିୟମକୁ ବହୁଳ ଭାବେ ଉଲ୍ଲଂଘନ କରୁଛନ୍ତି । ନା ସାମାଜିକ ଦୂରତା ରଖୁଛନ୍ତି, ନା ମାସ୍କ ପିନ୍ଧୁଛନ୍ତି । ଯାହା ଆଗାମୀ ଦିନରେ ବଡ଼ ବିପଦକୁ ଡାକି ଆଣିପାରେ । ସଚେତନ ହେବା ସହ ଆବଶ୍ୟକତା ନଥିଲେ ଘରୁ ନବହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।

Leave a Reply