‘ଆତଙ୍କବାଦୀ ପଠାଇ ହତ୍ୟା କରିଦେବୁ’, ରାଜ୍ୟପାଳଙ୍କୁ ଏମିତି ଧମକ ଦେଇଥିବା ଡିଏମକେ ନେତା ନିଲମ୍ବିତ

ଚେନ୍ନାଇ: ଡିଏମକେ ନେତାଙ୍କ ବିବାଦୀୟ ବୟାନ ।  ତାମିଲନାଡୁ ରାଜ୍ୟପାଳଙ୍କୁ ଆତଙ୍କବାଦୀ ପଠାଇ ମାରିବାକୁ ଧମକ ଦେଲେ । ତାମିଲନାଡ଼ୁ ଗଭର୍ଣ୍ଣର ଆରଏନ ରବିଙ୍କୁ ଡିଏମକେ ପ୍ରବକ୍ତା ଶିବାଜୀ କୃଷ୍ଣମୂର୍ତ୍ତି ଧମକ ଦେଇ ଏବେ ବିବାଦ ଘେରରେ ରହିଛନ୍ତି । ସେ କହିଛନ୍ତି ଯେ, ଆପଣ କାଶ୍ମୀର ଯାଆନ୍ତୁ, ଆମେ ସେଠାକୁ ଜଣେ ଆତଙ୍କବାଦୀକୁ ପଠାଇବୁ ଯିଏକି ଆପଣଙ୍କୁ ଗୁଳି କରି ହତ୍ୟା କରିବ । ପ୍ରକାଶଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଗଭର୍ଣ୍ଣର ନିଜ ଭାଷଣରୁ ଆମ୍ବେଦକରଙ୍କ ନାଁ ହଟାଇ ଦେଇଥିଲେ । ଏହାପରଠୁ ହିଁ କ୍ଷମତାସୀନ ଡିଏମକେ ଦଳର କାର୍ମକର୍ତ୍ତା ଏବଂ ନେତା ଗଭର୍ଣ୍ଣରଙ୍କୁ ବିରୋଧ କରିଆସୁଛନ୍ତି ।

ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବୟାନକୁ ନେଇ ଗଭର୍ଣ୍ଣର ଅଫିସ୍ ତାଙ୍କ ବିରୋଧରେ ଚେନ୍ନାଇ ପୋଲିସ ଥାନାରେ ମାମଲା ରୁଜୁ କରିଛି । ଡିଏମକେ ନେତା କହିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଆମେ ରାଜ୍ୟପାଳଙ୍କୁ କିଛି ନକହୁ । ଯଦି ରାଜ୍ୟପାଳ ଠିକ ଭାବରେ ଭାଷଣ ପଢ଼ିଥାନ୍ତେ ତେବେ ମୁଁ ତାଙ୍କ ଚରଣରେ ପୁଲ ରଖିଥାନ୍ତି ଏବଂ ହାତ ଯୋଡ଼ି ତାଙ୍କୁ ଧନ୍ୟବାଦ ଦେଇଥାନ୍ତି । କିନ୍ତୁ ତାମିଲନାଡ଼ୁରେ ଏହି ବ୍ୟକ୍ତି ଆମ୍ବେଦକରଙ୍କ ନାଁ ନେବାକୁ ମନା କରିଦିଅନ୍ତି ତେବେ କଣ ମୋ ପାଖରେ ଅଧିକାର ନାହିଁ ଯେ ମୁଁ ଚପଲରେ ତାଙ୍କୁ ମାରିପାରିବି? କଣ ଆପଣ ସମ୍ବିଧାନର ନାଁ ନେଇ ଶପଥ ନେଇ ନଥିଲେ? କଣ ଏହି ସମ୍ବିଧାନ ଆମ୍ବେଦକର ଲେଖିନଥିଲେ? ଯଦି ଆପଣ ନାଁ ନେବାକୁ ମନା କରନ୍ତି ତେବେ ଆପଣଙ୍କୁ କାଶ୍ମୀର ଚାଲିଯିବା ଆବଶ୍ୟକ । ଆମେ ସେଠାକୁ ଏକ ଆତଙ୍କବାଦୀ ପଠାଇବୁ ଯିଏ ଗୁଳିମାରି ଆପଣଙ୍କ ହତ୍ୟା କରିବ ।’

ତାଙ୍କର ଏହି ବୟାନ ପରେ ଡିଏମକେ ସଭାପତି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଅନ୍ୟପକ୍ଷରେ ଡିଏମକେ ନେତାଙ୍କ ଏପରି ବୟାନକୁ ନେଇ ବିଜେପି ନେତା ନାରାୟଣ ତିରୁପତି ବର୍ଷିଛନ୍ତି । ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କର ଆତଙ୍କୀ ଲିଙ୍କ ନେଇ ତଦନ୍ତ ହେଉ ବୋଲି ସେ କହିଛନ୍ତି । ସୂଚନାଥାଉକି, ୯ ଜାନୁଆରୀରେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ବିଧାନସଭାରେ ଭାଷଣ ଦେଉଥିଲେ । ସେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରଯାଇଥିବା ସ୍ପିଚରୁ କିଛି ଅଂଶ ପଢ଼ିନଥିଲେ । ଏହା ବଦଳରେ ସେ ନିଜ ମନରୁ କିଛି କଥା ସ୍ପିଚରେ ଯୋଡ଼ି ଦେଇଥିଲେ । ରାଜ୍ୟପାଳଙ୍କ ଦ୍ୱାରା ସ୍ପିଚ ବଦଳାଯିବା ବିରୋଧରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିଧାନସଭାରେ ରିଜଲ୍ୟୁସନ ଆଗତ କରିଥିଲେ, ଏହାପରେ ରାଜ୍ୟପାଳ ବିଧାନସଭାର କାର୍ଯ୍ୟ ଅଧାରୁ ଛାଡ଼ି ଚାଲିଯାଇଥିଲେ ।