ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ: କରୋନା କାଳର କାର୍ଯ୍ୟକାଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା

ଭୁବନେଶ୍ୱର: ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ କରୁଥିଲେ ସିବିକେ ମହାନ୍ତି ।

କରୋନାର ଭୟଙ୍କର ରୂପଠୁ ସଚେତନ ଓ ସତର୍କ ରହିବାର ବାଟ ବତାଉଥିଲେ ସିବିକେ । କରୋନାର ପରିବର୍ତ୍ତିତ ରୂପ ହେଉ ବା ବଢୁଥିବା ସଂକ୍ରମଣର କାରଣ । ଏସବୁର ଟିକନିକ୍ ଅପଡେଟ୍ ଦେଇ ସେ ଲୋକଙ୍କ ମନରେ ଆଶ୍ୱସ୍ତ ଭରୁଥିଲେ । ରାଜ୍ୟ ସରକାରଙ୍କର ସଫଳ କୋଭିଡ ମୁକାବିଲାରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା । କେବଳ କରୋନା ମୁକାବିଲା ନୁହେଁ ଜନସାଧାରଣ କିପରି ସଠିକ ସମୟରେ ଭ୍ୟାକସିନ୍ ନେବେ ଏଥିପାଇଁ କିପରି ବ୍ୟବସ୍ଥା ହେବ ଏସମ୍ବଦ୍ଧରେ ମଧ୍ୟ ସିବିକେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଆସନ୍ତା ୩୧ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ । ଏହି ଅବସରରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ଦିଆଯାଇଛି । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଡିଏମଇଟି ସିବିକେ ମହାନ୍ତି ।

Leave a Reply