OSDMA ଓ୍ବେବସାଇଟରୁ ୫ ବର୍ଷର ବିପର୍ଯ୍ୟୟ ପରିଚାଳନା ଯୋଜନାର ନାହିଁ ଡାଟା
1 min read
ଭୁବନେଶ୍ବର ; ସରକାର ବଦଳିବା ପରେ ରଙ୍ଗ ବଦଳିଲା । ଯୋଜନାର ନାମ ବଦଳିଲା । ଏବେ ହଟିଗଲା ଦୁର୍ବିପାକ ପରିଚାଳନା ତଥ୍ୟ । ଆଉ OSDMA ଓ୍ବେବସାଇଟରେ ଦେଖିବାକୁ ମିଳୁନି ବିଗତ ୫ବର୍ଷର ବିପର୍ଯ୍ୟୟ ପରିଚାଳନା ଯୋଜନା ତଥ୍ୟ । କୁଆଡ଼େ ଗଲା? କାହିଁକି ହଟିଲା ତଥ୍ୟ? କେମିତି ହେବ ଆଗୁଆ ବିପର୍ଯ୍ୟୟ ପରିଚାଳନା ଯୋଜନା ? ରାଜସ୍ବ ବିଭାଗର ଏପରି ଅଜବ ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ବର୍ଷ ଆରମ୍ଭରୁ ବିପର୍ଯ୍ୟୟ ପରିଚାଳନା ଯୋଜନା ଦିଆଯାଏ । ଏଥିପାଇଁ OSDMA ଓ୍ବେବସାଇଟ www.osdma.org/state-dm-plan ରେ ବିଗତ ବର୍ଷରେ କେଉଁ ଜିଲ୍ଲାରେ କେତେ ସାପ କାମୁଡାରେ ଲୋକଙ୍କ ଜୀବନ ଯାଇଛି ତାହାର ଡାଟା ଉପଲବ୍ଧ ହେଉଥିଲା । ବନ୍ୟା, ବାତ୍ୟା ମୁକାବିଲାରେ କଣ ତ୍ରୁଟି ଥିଲା କି ଧରଣର ବ୍ୟବସ୍ଥା ଯୋଗୁ ଜିରୋ କାଜୁଆଲ୍ଟି ହୋଇଥିଲା । ଆଗକୁ କଣ କରାଯିବ, କେଉଁ ଜିଲ୍ଲାରେ କେତେ ଆଣ୍ଟି ଭେନମ୍ ଇଞ୍ଜେକ୍ସନ୍ କେତେ ପରିମାଣରେ ଷ୍ଟକ ରଖାଯିବ, ତାର ବିସ୍ତୃତ ବିବରଣୀ ବିଜେଡି ସରକାର ସମୟରେ ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ଏହି ଓ୍ବେବସାଇଟ ଖୋଲିଲେ କେବଳ ୨୦୧୯ର ଡିଏମ୍ ପ୍ଲାନ୍ ଦେଖିବାକୁ ମିଳୁଛି । ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ତଥ୍ୟ ଗାଏବ । ଦେଖନ୍ତୁ ଏ ହେଉଛି ପୂର୍ବ ନବୀନ ସରକାରଙ୍କ ସମୟରେ ୨୦୨୩ର ଡିଏମ୍ ପ୍ଲାନ୍ । ସେତେବେଳେ ଏହି ତଥ୍ୟ ଓ୍ବେବସାଇଟରେ ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ଦେଖିବାକୁ ମିଳୁନି । ୨୦୨୫ରୁ ଦୁଇମାସ ବିତିଥିଲେ ବି ଏ ପର୍ଯ୍ୟନ୍ତ ବିପର୍ଯ୍ୟୟ ମୁକାବିଲା ନେଇ ଯୋଜନା କଣ ଲୋକେ ଜାଣିପାରୁନାହାନ୍ତି । ..
ଓ୍ବେବସାଇଟରୁ ତଥ୍ୟ ହଟିବା ନେଇ ବିରୋଧୀ ଆଖି ଲାଲ୍ କରିଛନ୍ତି । ବିଜେଡି ଅଭିଯୋଗ କରିଛି, ଏ ସରକାର କେବେ ବି ଲୋକଙ୍କ ଜୀବନ ପ୍ରତି ସମ୍ବେଦନଶୀଳ ନୁହଁନ୍ତି । ଦୁର୍ବିପାକ ହେଉ କି ଅପରାଧ । ଅନୁସନ୍ଧାନ, ତର୍ଜମା ଓ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତିରେ କାମ ସାରିଦେଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ଦୁର୍ବିପାକ ମୁକାବିଲାରେ ରେକର୍ଡ଼ କରିଥିଲା । ଯେଉଁଥିପାଇଁ ବହୁବାର କେନ୍ଦ୍ର ସରକାର ପ୍ରଶଂସା କରିଥିଲେ । ଏହାସହିତ ତତ୍କାଳୀନ ରାଜ୍ୟ ସରକାରଙ୍କୁ ଜାତିସଂଘ ପୁରସ୍କୃତ କରିବା ସହ ମିଳିଥିଲା ସୁଭାଷ ବୋଷ ଆପଦା ପ୍ରବନ୍ଧନ ପୁରସ୍କାର । ପ୍ରତିଟି ଜୀବନ ମୂଲ୍ୟବାନ ଏହାଥିଲା ନବୀନ ସରକାରଙ୍କ ଆଭିମୁଖ୍ୟ । କିନ୍ତୁ ଏ ସରକାର ଲୋକଙ୍କୁ ମିଛ କହି କେବଳ ଭୂଆଁ ବୁଲାଇବାରେ ସିଦ୍ଧହସ୍ତ । ସେପଟେ କେଉଁ ପରିସ୍ଥିତିରେ ଓ୍ବେବସାଇଟରୁ ତଥ୍ୟ ହଟିଲା ତାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ପୂର୍ବ ଅନୁଭୂତିର ଡାଟାବେସ୍ ନଥିଲେ ଆଗକୁ ଦୁର୍ବିପାକ ମୁକାବିଲା ଅସମ୍ଭବ । ଏବେ ପ୍ରଶ୍ନ ଉଠୁଛି ତଥ୍ୟ ହଟାଯିବ ପଛର ରହସ୍ୟ କଣ ? ଜାଣିଶୁଣି ପୂର୍ବ ସରକାରଙ୍କ ଉପଲବ୍ଧିକୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କରାଯାଇଛି । ନା ଓ୍ବେବ୍ସାଇଟରୁ ତଥ୍ୟ ହଟାଇ ନିଜ ପାଖରେ ରଖିଛନ୍ତି ସରକାର । ଆଗକୁ ଦୁର୍ବିପାକ ମୁକାବିଲାରେ ତାକୁ ପ୍ରୟୋଗ କରି ପ୍ରଶଂସା ସାଉଁଟିବାକୁ ଯୋଜନା । ଏ ନେଇ ପ୍ରଶ୍ନ ଉଠିଛି ।