ଭାଇରାଲ ହେଉଛି ଦିୟା କୁମାରୀଙ୍କ ଭିଡିଓ

ଜୟପୁର: ସରୁନି ସସପେନ୍ସ । ୮ ଦିନ ପରେ ମଧ୍ୟ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର ହୋଇନାହିଁ । କିନ୍ତୁ ଏଭଳି ଏକ ସମୟରେ ଭାଇରାଲ ହେଉଛି ଦିୟା କୁମାରୀଙ୍କ ଏକ ଭିଡିଓ । ମୁଖ୍ୟମନ୍ତ୍ରୀ ରେସରେ ଥିବା ଦିୟା କୁମାରୀଙ୍କ ଧମକପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ବିଦ୍ୟାଧର ଆସନରୁ ଜିତିଥିବା ଦିୟା ଆକ୍ସନ ମୁଡରେ ନଜର ଆସିଥିବାବେଳେ ସେ ଫୋନରେ କଥା ହେଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଜଣେ ପୋଲିସ ବାବୁଙ୍କୁ ଧମକ ଦେଉଥିବା ଜଣାପଡ଼ିଛି । ଅଶୋକ ଗେହଲଟ ତୁମକୁ ନିଯୁକ୍ତି ଦେଇଛନ୍ତି ନାଁ? ଦେଖ ୪ ଦିନ ଭିତରେ ବିଜେପି ସରକାର ଆସୁଛି ତୁମେ ବଦଳି ହେବ । ଏଭଳି କିଛି କହୁଥିବା ଏହି ଭିଡିଓରେ ଜଣାପଡ଼ିଛି । ସାଙ୍ଗରେ ତାଙ୍କର ସମର୍ଥକମାନେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଜଣେ ୮ ବର୍ଷର ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ସ୍କୁଲ ବସ ଚାଳକ ନାବାଳିକାକୁ ଦୁଷ୍କର୍ମ କରିଥିବାବେଳେ ପିଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଚାପରେ ପୋଲିସବାବୁ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ବାବୁଙ୍କୁ ଧମକ ଦେଉଥିବା କୁହାଯାଉଛି ।