ଦୀପାବଳି ପାଇଁ ବଜାରରେ ଲାଗିଲାଣି ଭିଡ଼

କଟକ: ଦିନ କେଇଟା ପରେ ଦୀପାବଳି । ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦୀପାବଳିରେ ଘରେ ଘରେ ଦୀପ ଜାଳିବାର ପରମ୍ପରା ରହିଥୁବାରୁ ଏବେ ବଜାରରେ ସୁନ୍ଦର ସୁନ୍ଦର ଫ୍ୟାନସୀ ଦୀପ ସହିତ କୁମ୍ଭାରସାହିର ହାତ ତିଆରି ଦୀପ ଭର୍ତ୍ତି ହୋଇଗଲାଣି । ଲୋକମାନେ ମଧ୍ଯ ପାରମ୍ପରିକ ଦୀପ ସହ ଘରକୁ ସୁନ୍ଦର ଦିଶୁଥିବା କଲର ଦୀପ କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ।

ପାଖେଇ ଆସିଲାଣି ଆଲୋକର ପର୍ବ । ଦୀପାବଳି ପାଇଁ ସବୁଠି ଉତ୍ସାହ । କାଳୀ ପୂଜା ସାଙ୍ଗକୁ ଘରେ ଘରେ ଜମିବ ଦିଓ୍ବାଲୀ ଉତ୍ସବ। ବଜାରରେ ରଙ୍ଗବେରଙ୍କ ଲାଇଟ ସହ ଦୀପର ସମ୍ଭାର। କଲିକତାରୁ ଆସୁଛି ବିଭିନ୍ନ ଫ୍ୟାନ୍ସି ଦୀପ । ତେବେ କଟକ କୁମ୍ଭାର ସାହିର ମାଟି ଦୀପର ରହିଛି ସ୍ବତନ୍ତ୍ର ଚାହିଦା। ଲୋକଙ୍କ ଚାହିଦାକୁ ଦେଖି କୁମ୍ଭକାରମାନେ ବିଭିନ୍ନ ଡିଜାଇନର ଦୀପ ତିଆରି କରିଛନ୍ତି । ଏହାକୁ ରଙ୍ଗ କରି ବଜାରକୁ ଛାଡ଼ିଥିବାବେଳେ ଲୋକେ ବି ଏହାକୁ ବେଶ ପସନ୍ଦ କରୁଛନ୍ତି ।

ବର୍ଷ ବର୍ଷଧରି ଦୀପାବଳିରେ ଲୋକଙ୍କ ଚାହିଦା ମେଣ୍ଟାଉଥିବା ବିଡାନାସୀ ଓ ଅନ୍ଯ କୁମ୍ଭାର ସାହିର ଦୀପ କାରିଗରମାନେ ଦୀପ ତିଆର କରନ୍ତି । ତେବେ ବାହାରୁ ଫେନ୍ସି ଓ ଟେରାକୋଟା ଦୀପ ଆସୁଥିବବାଳେ ଲୋକେ ଏଲଇଡି ଲିଚୁ ଓ ଏଲଇଡି ଦୀପକୁ ଅଧିକ କିଣାକିଣି କରୁଛନ୍ତି। ଏହା ଏକକ ବ୍ୟବହାର ହେଉ ନଥିବାରୁ ଲୋକେ ପସନ୍ଦ ବି କରୁଛନ୍ତି। ତେଣୁ ଆଗପରି ଆଉ ବିକ୍ରିବଟା ନଥିବା କହିଛନ୍ତି କାରିଗର । କେବଳ ପରମ୍ପରା ପାଇଁ କିଛି ଲୋକ ମାଟି ଦୀପ କିଣୁଛନ୍ତି ।