ଭୁବନେଶ୍ବରରେ ଗ୍ରୀନ କ୍ରାକରକୁ ଗୁରୁତ୍ବ, ବାଣ ଦୋକାନରେ ଚଢ଼ାଉ

1 min read

ଭୁବନେଶ୍ବର: ଦୀପାବଳି ପାଇଁ ସବୁଠି ଉତ୍ସାହ । ଦୀପ ଜାଳି, ବାଣ ଫୁଟାଇ ଆଲୋକର ଏହି ପର୍ବକୁ ପାଳନ କରିବେ ଲୋକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରରେ ସବୁଠି ସବୁ ବାଣ ବିକ୍ରି ହେଉଥିବାବେଳେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍ ଓ ବିଏମସି । ବିଭିନ୍ନ ବାଣ ଦୋକାନରେ ଯାଞ୍ଚ ସହ ହୋଇଛି ଚଢାଉ ।

ଏଥର ଦୀପାବଳିରେ ଯେମିତି ଅଧିକ ଢୋ ଢା ହେବନି ତା’ ଉପରେ ରହିଛି ନଜର । ଗ୍ରୀନ୍ କ୍ରାକରକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁଜୁ ଓ ସ୍ବଚ୍ଛ ଦିଓ୍ବାଲୀ ପାଇଁ ବିଏମସି ଓ ପୋଲିସ କରିଛି ଅନୁରୋଧ । ଘାତକ ଓ ରାସାୟନିକ ବାଣ ବିକ୍ରି ଉପରେ ଜାରି ହୋଇଛି କଟକଣା । ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ମେୟର । ଏହାସହ ବାଣ ବ୍ୟବସାୟୀମାନେ ସରକାରୀ ନିୟମ ମାନି ବାଣ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବରମୁଣ୍ଡା, ୟୁନିଟ୍-୧ ହାଇସ୍କୁଲ ପଡିଆ, ପଟିଆ, ଜାଗମୋରା, ରସୁଲଗଡ଼, ଗାଡକଣ, ଚକେଇସିହାଣୀ, ନୟାପଲ୍ଲୀ, ଗଣ୍ଡମୁଣ୍ଡାରେ ସବୁଜ ବାଣ ବିକ୍ରି ପାଇଁ ମିଳିଛି ଅନୁମତି । ଝୁରଝୁରି, ମଥାପି, ଫୁଲଝରୀ, କୁମ୍ପି, ପେନ୍ ସିଲ୍, ରକେଟ, ରସି, ଚକ୍ରି ପରି ସବୁଜ ବାଣ ବା ଗ୍ରୀନ୍ କ୍ରାକର୍ସ ବାଣର ବେଶ ଚାହିଦା ରହିଛି । ସେପଟେ ସରକାରଙ୍କ ସବୁ ନିୟମ ପାଳନ କରାଯାଉଥିବା କହିଛନ୍ତି ବ୍ୟବସାୟୀ ।

ଘାତକ ଓ ପ୍ରଦୂଷଣକାରୀବାଣ ବିକ୍ରି କରୁଥିବା ଦୋକାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅଗ୍ନିଶମ ବିଭାଗ, ବିଏମସି, କମିଶନରେଟ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଉଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ଘାତକ ବାଣକୁ ଚଢ଼ାଉ ବେଳେ ଜବତ କରାଯାଇଛି । ନିୟମ ଉଲ୍ଲଂଘନ କଲେ ପ୍ରଥମେ ଚେତାବନୀ ପରେ ମୋଟା ଅଙ୍କର ଫାଇନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ଦୋକାନର ନିରାପତ୍ତା ଯାଞ୍ଚ କରିଛି ଅଗ୍ନିଶମ ବାହିନୀ । ଅଗ୍ନି ନିରାପତ୍ତା ଯନ୍ତ୍ର, ବାଲିବସ୍ତା ଓ ପାଣି ସହ ଦୋକାନର ଦୂରତାକୁ ଯାଞ୍ଚ କରାଯାଇଛି । ପରିବେଶକୁ ସୁରକ୍ଷିତ ରଖି ସବୁଜ ଓ ସ୍ବଚ୍ଛ ଦୀପାବଳୀ ପାଇବାକୁ ବାର୍ତ୍ତା ଦେଇଛନ୍ତି ପରିବେଶବିତ୍ ।