ଦୀପାବଳି ପୂର୍ବରୁ ଆଲର୍ଟ, ରାଜ୍ଯରେ ବଢିପାରେ ପ୍ରଦୂଷଣର ମାତ୍ରା
1 min readନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଯୋଗୁଁ ବିଷ ବଳୟକୁ ଠେଲି ହୋଇଯିବ ରାଜ୍ୟର ବିଭିନ୍ନ ସହର । ବେଆଇନ ବାଣ ଫୁଟାଇବାରୁ ବଢିବ ପ୍ରଦୂଷଣ । ଏଥିରେ ବାଲେଶ୍ବରକୁ ରହିଛି ସର୍ବାଧିକ ବିପଦ । ବର୍ତ୍ତମାନ ଏୟାର କ୍ବାଲିଟି ଇଣ୍ଡକ୍ସରେ ଏହା ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ରହିଛି । ଏଥି ପାଇଁ କେବଳ ଗ୍ରୀନ ବାଣି ଫୁଟାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶନାମା ଜାରି କରିଛି । ନିୟମ ଖିଲାଫ୍ କଲେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ କାର୍ଯ୍ୟାନୁଷ୍ଠାନର କ୍ଷମତା ଦିଆଯାଇଛି ।
ବାଲେଶ୍ବରର ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ଯୁଆଇ ୧୧୭। ଅନୁଗୁଳରେ ୧୦୩ ଓ ତାଳଚେରରେ ୯୬। ଦୀପାବଳି ପୂର୍ବରୁ ଏପରି ଚିତ୍ର ଆଦୌ ସନ୍ତୋଷଜନକ ନୁହେଁ । ବାଲେଶ୍ବର ବାୟୁମଣ୍ଡଳରେ ବେଆଇନ ବାଣ ପ୍ରଦୂଷଣ ମାତ୍ରା ଢେର ବଢାଇବ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁସାରେ ଏକ୍ଯୁଆଇ ଶୂନରୁ ୫୦ ରହିଲେ ଭଲ, ୫୧ରୁ ୧୦୦ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ରହିଲେ ମଧ୍ଯମ, ୨୦୧ରୁ ୩୦୦ ରହିଲେ ଖରାପ, ୩୦୧ରୁ ୪୦୦ ରହିଲେ ଅତି ଖରାପ ଓ ୪୦୧ରୁ ୫୦୦ ରହିଲେ ଗୁରୁତର। ଏପରି ସ୍ଥିତିରେ ମଧ୍ୟମ ଧରଣର ବିପଦ ତାଲିକାରେ ବାଲେଶ୍ବର ଓ ଅନୁଗୁଳ ରହିଛି । ଆତସବାଜି ବ୍ୟବହାର ଯୋଗୁ ବିଷାକ୍ତ ଗ୍ୟାସ, ଧୂଳିକଣା ସୃଷ୍ଟି ହେବା ସହ ଶବ୍ଦ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ବାଲେଶ୍ବର ସହର ପିକ୍ ପଏଣ୍ଟରେ ରହିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ମୁକୁଳା ଫୁଟପାଥ୍, ଖୋଲାରେ କୋଠାବାଡି ନିର୍ମାଣ, ଯାନବାହନ ସଂଖ୍ୟା ବୃଦ୍ଧି, ରେଳ ଷ୍ଟେସନର ମାଲଗୋଦାମ, କଳକାରଖାନାର ଧୂଆଁ ସହରର ପ୍ରଦୂଷଣ ମାତ୍ରା ବୃଦ୍ଧି ହେବାର ମୂଖ୍ଯ କାରଣ ପାଲଟିଛି। ଫୁଟପାଥରେ ପେଭର ବ୍ଲକ୍ ପକାଇବା, ପାଲ କିମ୍ବା କଭର କରି କୋଠାବାଡି ନିର୍ମାଣ କରିବା, ଇଲେକ୍ଟ୍ରିକ୍ ଗାଡି ବ୍ୟବହାର ପ୍ରଭୃତି ଜରିଆରେ ହ୍ରାସ ପାଇଥାଏ ପ୍ରଦୂଷଣ। ଜନସଚେତନତାକୁ ଗୁରୁତ୍ବ ଦେଇଛନ୍ତି ପରିବେଶବିତ।
ଶୀତ ଆରମ୍ଭ ସହ ଦୀପାବଳିରୁ ହିଁ ବଢିଥାଏ ପ୍ରଦୂଷଣ। ଏଥିଲାଗି ବାଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଦୀପାବଳିରେ ରାତି ୭ରୁ ୯ ଯାଏ ବାଣ ଫୁଟାଯାଇ ପାରିବ । ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ହୋଇଛି । ଏହି ବାଣକୁ ପେସା ନାମକ ସଂସ୍ଥା ଯାଞ୍ଚ କରିବ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ନିଷେଧାଦେଶ ଜାରି ହୋଇଛି। ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି। ଏହାଛଡ଼ା ବଗିଚା ଓ ପାର୍କ ପରି ସର୍ବସାଧାରଣ ସ୍ଥାନ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଉଲଂଘନକାରୀଙ୍କ ବିରୋଧରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ-ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ୧୦ ବର୍ଷରୁ କମ୍ ପିଲାଙ୍କୁ ବାଣଠାରୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରର ଓ କଟକରେ ସ୍ଥିତି ସେତେଟା ଭୟାବହ ନୁହେଁ । ରାଜ୍ୟରେ ୨୦୨୨ ଅପେକ୍ଷା ୨୦୨୩ରେ ପ୍ରଦୂଷଣ କମିଛି । ଦୀପାବଳୀ ପରେ ଏକ୍ଯୁଆଇ ପରୀକ୍ଷଣ କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ପଠାଯିବ ।