ବାତ୍ୟା ଜୱାଦର ମୁକାବିଲା ପାଇଁ ସଜାଗ ପ୍ରଶାସନ, କେଉଁଠି କିଭଳି ପ୍ରସ୍ତୁତି…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ରାଜ୍ୟ ସରକାର ସଜାଗ ହୋଇରହିଛନ୍ତି। ଏପରିକି ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା କରାଯାଇଛି । ସେଠାରେ ଶୁଦ୍ଧ ପାନୀୟ ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇଛି । ଆବଶ୍ୟକ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି କଟକ ନରାଜସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ଅନୁଷ୍ଠାନରୁ ବିଭିନ୍ନ ଜିଲ୍ଲାକୁ ବାହାରିବେ ୩୩ଟି ଟିମ। ଗଞ୍ଜାମକୁ ୬, ଗଜପତିକୁ ୩, ପୁରୀକୁ ୬, ଖୋର୍ଦ୍ଧାକୁ ୪, ଜଗତସିଂହପୁରକୁ ୬, କେନ୍ଦ୍ରାପଡାକୁ ୪ ଓ ଭଦ୍ରକକୁ ୪ଟି ଟିମ ଯିବେ। କଟକ ଓ ଭୁବନେଶ୍ୱରରେ ୧୪ଟି ଟିମକୁ ରିଜର୍ଭ ରଖାଯାଇଥିବା ଚିଫ ଫାୟାର ଅଫିସର ଭାବଗ୍ରାହୀ ଘଡେଇ ସୂଚନା ଦେଇଛନ୍ତି।

ସେହିଭଳି ବାତ୍ୟା ଜୱାଦ ର ମୁକାବିଲା ପାଇଁ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି । ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ପଠାଯାଇ ସ୍ଥିତି ଉପରେ ନଜର ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ଆଉ ଗୋଟିଏ ଓଡ୍ରାଫ ଟିମ ଆସିଲେ ବାସୁଦେବପୁର ଅଞ୍ଚଳକୁ ପଠାଯିବ। ଜ଼ିଲ୍ଲାରେ ଥିବା ୯ ଗୋଟି ଅଗ୍ନିଶମ ଟିମ ଓ ରାଜ୍ୟରୁ ଆସିବାକୁ ଥିବା ୧୩ଗୋଟି ଟିମକୁ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯିବ। ତେବେ ଆବଶ୍ୟକ ହେଲେ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର ୧୭ ଗୋଟି ଗାଁ ଏବଂ ଚାନ୍ଦବାଲି ବ୍ଲକର ୨୯ ଗୋଟି ମୋଟ ୪୬ ଗୋଟି ଗାଁର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ।

Cyclone Jawad Likely To Recurve Northnortheastwards And Move Along Odisha Coast After Landfall

ବର୍ଷା ଓ ପବନର ବେଗ ଜୋର ରହିଲେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଜ଼ିଲ୍ଲାରେ ଥିବା ୧୦୪ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବାର ବ୍ୟବସ୍ଥା ହୋଇଥିବା ଜ଼ିଲ୍ଲାପାଳ କହିଛନ୍ତି। ସେହିପରି ଭାବେ, ମସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଗଜପତି ଜିଲ୍ଲା ପ୍ରଶାସନ। ଏହି ଜିଲ୍ଲାରେ ପହଞ୍ଚିଛନ୍ତି ଏନଡିଆରଏଫର ୨୦ ଜଣିଆ ଟିମ୍ ଓ ୩୬ ଜଣିଆ ବିଶିଷ୍ଟ ଓଡ୍ରାଫ ଟିମ୍ । ଜିଲ୍ଲାରେ ବେଶି ପ୍ରଭାବିତ ହେବାକୁ ଥିବା ରାୟଗଡ଼ ଓ ଗୋଷାଣୀ ବ୍ଲକ ଅଞ୍ଚଳକୁ ଦୁଇ ଭାଗରେ ଏନଡିଆରଏଫ ଟିମ୍ ବିଭକ୍ତ କରି ମୁତୟନ ହୋଇଛନ୍ତି । ସେହିପରି ଓଡ୍ରାଫ ଟିମକୁ ମଧ୍ୟ ବିଭକ୍ତ କରି ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଅଗ୍ନିଶମ ବିଭାଗର ୧୦ ଟିମକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ ହଟାଇବା ଏବଂ ପାହାଡ଼ ଧସିବାରୁ ଜନଜୀବନକୁ ସୁରକ୍ଷା ଦେବା ପାଇଁ ସଜାଗ ରହିଛି ଉଦ୍ଧାରକାରୀ ଟିମ୍‌।

Leave a Reply