ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ

1 min read

ଭୁବନେଶ୍ବର: ଓଡିଶା ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାଗା ମିଶନ ଅଧୀନରେ ଭୁବନେଶ୍ବର ମହାନଗର ନିଗମରେ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ । ଆଜି ୩ଟି ଜୋନରେ ୫ ହଜାର ୫୪୨ ପରିବାରଙ୍କୁ ଏଲ୍‌ଆର୍‌ସି ବଣ୍ଟନ କରାଯାଇଛି । ଭୂମି ଅଧିକାର ପତ୍ର ବଣ୍ଟନ ବେଳେ ସମସ୍ତ ଜୋନରେ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ । ସେପଟେ ଏଲଆରସି ପତ୍ର ପାଇବା ପରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ହୃଦୟରୁ ଧନ୍ୟବାଦ ।

ଲୋକଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ତାଳି ସାଙ୍ଗକୁ ହୁଳହୁଳି । ସିଭିଙ୍କ ମନରେ ଖୁସିର ଲହରୀ । ଗରିବ ବସ୍ତି ବାସିନ୍ଦା ପାଇଲେ ଭୂମି ପ୍ରମାଣ ପତ୍ର । ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ ସ୍ଥିତ ବଡଗଡ ବ୍ରିଟ୍ କୋଲନୀ ନେତାଜୀ ପଡିଆରେ ମନ୍ତ୍ରୀ ଅଶୋକଙ୍କ ପଣ୍ଡା, ବିଏମସି କମିଶନର ଓ ବିଭିନ୍ନ ୱାର୍ଡର କୋର୍ପେରେଟରଙ୍କ ଉପସ୍ଥିତିରେ ୧୪୨୧ଟି ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ।

ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ଓ୍ବାର୍ଡ ନମ୍ବର ୪୭ର ୟୁନିଟ୍ ୮ ସ୍ଥିତ କମ୍ୟୁନିଟ୍ ସେଣ୍ଟରରେ ୧୯୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ବଣ୍ଟନ ବେଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତ ରହିଥିଲେ ।  । ସେହିଭଳି ଉତ୍ତର ଜୋନର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ବିଧାୟକ ଶୁଶାନ୍ତ ରାଉତଙ୍କ ଉପସ୍ଥିତରେ ୨୧୭୧ ଜଣଙ୍କୁ ଭୂମି ଅଧିକାର ପତ୍ର ବଣ୍ଟନ କରାଯାଇଥିଲା । ବଣ୍ଟନ ବେଳେ ଯେପରି ସମସ୍ୟା ନହେବ ସେ ନେଇ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା । ଆଗମୀ ଦିନରେ ବିଏମସି ଅଞ୍ଚଳରେ ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କୁ ଭୂମି  ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

ଗତ ୨୮ ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାଗା ମିଶନ ଅଧୀନରେ ଭୁବନେଶ୍ବରରେ ୫୧ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।