ଆଦାନୀ ଜମି କିଣା ବିବାଦ: ଅଞ୍ଚଳବାସୀଙ୍କ ଚେତାବନୀ, ଗନ୍ଧମାର୍ଦ୍ଦନ ଉପରେ ନଜର ପକାଇଲେ ଭୋଗିବ ପରିଣାମ

1 min read

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଲୋକଙ୍କୁ ତିନି ଗୁଣା ଅଧିକ ଟଙ୍କା ଦେଇ ଏହି ଜମି କିଣିଛି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ସଫଳ ହେବନି ଷଡଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟ । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ତେଜିବ ଆନ୍ଦୋଳନ । ବଲାଙ୍ଗୀର-ବରଗଡ ସୀମାରେ ଥିବା ଗର୍ଦ୍ଧମାର୍ଦ୍ଦନ ପର୍ବତ ଉପରେ ଖଣି ଖନନ ପାଇଁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏବେ ଚିହିଁକି ଉଠିଛନ୍ତି ଅଞ୍ଚଳବାସୀ ।

ଆଦାନୀ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ନାଁରେ ଅଞ୍ଚଳରୁ ୧୧୨.୮୬ ଏକ ଜମି କିଣିଛି । ନୂଆ ସରକାର ଆସିବା ପରେ ଗତ ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଜମି କିଣା ଯାଇଛି । ତେବେ ଏହି ଜମିଠାରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ଓ ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ସମାନ ଦୂରତା । ହଜାର ହଜାର ବର୍ଷ ଧରି ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ରହିଛି ଗନ୍ଧମାର୍ଦ୍ଦନ । ପାହାଡରୁ ସୁକତେଲ ଓ ଅଙ୍ଗନଦୀ ବାହାରିଥିବା ବେଳେ  ୨୨ରୁ ଅଧିକ ଚିରସ୍ରୋତା ଝରଣା ବହି ଚାଲିଛି । ଏଠି ୧୮ ହଜାର ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ବଲାଙ୍ଗୀର, ବରଗଡ଼ ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ପେଟପାଟଣା ପାଇଁ ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି I ଫଳରେ ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା ଅଞ୍ଚଳ ଘୋଷଣା କରିବାକୁ ତତ୍କାଳୀନ ନବୀନ ସରକାର ଅନେକ ଚେଷ୍ଟା କରିଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ବିପଦ ଆଡକୁ ଠେଲି ହୋଇଯାଇଛି ଗନ୍ଧମାର୍ଦ୍ଦନ ପର୍ବତ ।

ଗନ୍ଧମାର୍ଦ୍ଦନ ପାଦଦେଶରେ କିଣାଯାଇଥିବା ଏହି ଜମିରେ କ’ଣ କରିବ ଆଦାନୀ କମ୍ପାନୀ ? ଏତେ ପରିମାଣର ଜମି କିଣିବା ପଛରେ କାରଣ କ’ଣ ? ଉପଯୁକ୍ତ ମୂଲ୍ୟଠାରୁ ତିନି ଗୁଣ ଅଧିକା ଦାମ ଦେଇ ଜମି କାହିଁକି କିଣାଯାଇଛି ? ତାହା ସ୍ପଷ୍ଟ କରୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ବଲାଙ୍ଗୀର ନୂଆପଡା ରେଳପଥ ପାଇଁ ଦୁଇ ଦଶନ୍ଧୀ ଧରି ଦେବି ହେଉଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହି ରେଳପଥ ପାଇଁ ଡିପିଆରକୁ ଅନୁମତି ଦେଇଛନ୍ତି । ଏହାସହ ପାଟଣାଗଡରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯାହା ଖଣି ଖନନ ସନ୍ଦେହକୁ ଦୃଢିଭୂତ କରିଛି । ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇଛନ୍ତି ।

ଗନ୍ଧମାର୍ଦ୍ଦନ ପାହାଡରେ ୨୦୨ ମିଲିୟନ ଟନ ବକ୍ସାଇଟ ରହି ଥିବାରୁ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ଆଖି ଏହା ଉପରେ ରହିଛି । ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତ୍ତୋଲନ ପାଇଁ ବାଲକୋ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜୋରଦାର୍ ବିରୋଧ ପରେ କମ୍ପାନୀ ଫେରିଯାଇଥିଲା ।