ରାଜ୍ୟର ୧୫ ଲକ୍ଷ ଦୁଗ୍ଧ ଚାଷୀଙ୍କ ସହ ପ୍ରତାରଣ, ସରକାରଙ୍କୁ ଦେଲେ ଚରମ ଚେତାବନୀ

1 min read

ଭୁବନେଶ୍ବର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ନେଇ ଚାଷୀମାନେ କ୍ଷୁବ୍ଧ । ଘୋଷଣା ଓ କଥାରେ ସୀମିତ ରହୁଛି ରାଜ୍ୟ ବିଜେପି ସରକାରଙ୍କ ଦୁଗ୍ଧ ଚାଷୀଙ୍କ ପାଇଁ ସହାୟତା । ଓମଫେଡ କ୍ଷୀର ପ୍ୟାକେଟର ରଙ୍ଗ ପରିବର୍ତ୍ତନ କରି ପରିମାଣ କମାଇଲେ ଦର ବଢ଼ାଇଲେ । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ବର୍ଦ୍ଧିତ ଦରକୁ ଚାଷୀଙ୍କୁ କିଛି ଦେଲେ ନାହିଁ । ଏବେ ସରକାର କହୁଛନ୍ତି, ଦୁଗ୍ଧ ଚାଷୀଙ୍କୁ ସମୃଦ୍ଧ କରିବାକୁ ଉଦ୍ୟମ ହେଉଛି । ରାଜ୍ୟର ୧୫ ଲକ୍ଷ ଦୁଗ୍ଧ ଚାଷୀ ସରକାରଙ୍କ ଉପରେ ଖପ୍ପା । ଯାହାକୁ ନେଇ ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଦୁଗ୍ଧ ଚାଷୀ ମହାସଂଘ ।

ଗୋପାଷ୍ଟମୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ । ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋପାଷ୍ଟମୀ ପାଳୁଛନ୍ତି, ହେଲେ ଦୁଗ୍ଧ ଚାଷୀଙ୍କୁ ପ୍ରକୃତ ମୂଲ୍ୟ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛି ମହାସଂଘ । ଓମଫେଡ କ୍ଷୀର ଦର ଲିଟର ପିଛା ୧୦ ଟଙ୍କା ୨୦ ପଇସା ବଢ଼ାଇଲେ, ଦାବି ଅନୁଯାୟୀ ଏହି ଅର୍ଥରୁ ପାଞ୍ଚ ଟଙ୍କା ଚାଷୀଙ୍କୁ ଦେଲେ ନାହିଁ । ଗୋଖାଦ୍ୟ ଦର ଆକାଶଛୁଆଁ । ପଶୁଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢିଛି । ଚାଷୀଙ୍କ ଉତ୍ପାଦନ ଉପରେ ଦେଢ଼ ଗୁଣା ଲାଭ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥାଇ ବି ଏହି ଲାଭ କାହିଁକି ଦେଉନାହାନ୍ତି ବୋଲି ମହାସଂଘ ପ୍ରଶ୍ନ କରିଛି । ଆଉ ଏସବୁର ପ୍ରତିବାଦରେ ଆସନ୍ତା ଅଧିବେଶନରେ ବିଧାନସଭା ସମ୍ମୁଖରେ କ୍ଷୀର ଢାଳି ଜୋରଦାର ପ୍ରତିବାଦ କରିବେ ଦୁଗ୍ଧ ଚାଷୀ । ତା’ପରେ ରାଜ୍ୟ ସ୍ତରରେ ଆନ୍ଦୋଳନ ବ୍ୟାପକ ହେବ । ଆଈ ମା’ର ଗପ ଶୁଣିଲେ ଚାଷୀର ପେଟ ପୂରିବ ନାହିଁ । ରାଜ୍ୟ ସରକାର କଥାରେ ନୁହେଁ କାମରେ କିଛି କରନ୍ତୁ ବୋଲି କହିଛନ୍ତି ଦୁଗ୍ଧ ଚାଷୀ ।

ରାଜ୍ୟରେ ଗାଈ ସଂଖ୍ୟା ବଢ଼ାଯିବା ସହ ୫ ବର୍ଷରେ ଏହି ସଂଖ୍ୟା ଦୁଇ ଗୁଣିତ କରିବାକୁ ଲକ୍କ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ କହୁଛନ୍ତି । ରାଜ୍ୟର ଆଗ୍ରହୀ ବ୍ୟକ୍ତିଙ୍କୁ ପଶୁ ସମ୍ପଦ ସମ୍ବନ୍ଧୀୟ କୃଷି କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରାଯାଇଛି । କିନ୍ତୁ ତୃଣମୂଳ ସ୍ତରରେ ଚିତ୍ର ପୂରା ଓଲଟା । ଯେଉଁ ଚାଷୀ ଗୋ-ସମ୍ପଦ ପାଳନ କରୁଛନ୍ତି ସେମାନେ ଏହି ଚାଷ ଛାଡ଼ିବାକୁ ନିଷ୍ପତ୍ତି ନେଲେଣି । ସେପଟେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ କହିବା କଥା, ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ସେମାନଙ୍କୁ କ୍ଷୀରର ଉଚିତ ମୂଲ୍ୟ ଓ ସହଯୋଗ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଗୋପାଳନ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ସହ ଗୋ-ଖାଦ୍ୟର ମୂଲ୍ୟ କମାଇବା, ଗାଈଙ୍କ ସ୍ୱାସ୍ଥ୍ୟସେବା ଆଦିକୁ ଗୁରୁତ୍ୱ ଦେବା ସହ କ୍ଷୀରର ଉଚିତ ମୂଲ୍ୟ ପାଇଁ ଦାବି ହେଉଛି । ଗ୍ରାହକଙ୍କଠାରୁ ନେଉଥିବା କ୍ଷୀରର ବର୍ଦ୍ଧିତ ଦରରୁ ଦୁଗ୍ଧଚାଷୀଙ୍କୁ ଦେବାକୁ ଦାବି ହୋଇଛି ।