ଅବ୍ୟବସ୍ଥା ଘେରରେ କପିଳାସ ବାବା ପ୍ରଭୁ ଚନ୍ଦ୍ରଶେଖର, କିଏ ହେବ ଶାହା ?

ଢେଙ୍କାନାଳ: ସେ ସାରା ବିଶ୍ବକୁ ସମ୍ଭାଳନ୍ତି । ସେ ଦେବ ଦେବ ମହାଦେବ । ସେ କରିଥାନ୍ତି ପାପର ଅନ୍ତ । ସେଥିପାଇଁ ତାଙ୍କୁ କୁହାଯାଏ ସଂହାର କର୍ତ୍ତା । ହେଲେ ଢେଙ୍କାନାଳର କପିଳାସ ପୀଠରେ ପ୍ରଭୁ ଶଚନ୍ଦ୍ରଶେଖର ରୂପରେ ପୂଜା ପାଉଥିବା ମହାଦେବଙ୍କ ଦୁଃଖ ସାଧାରଣ ମଣିଷଙ୍କଠୁ ବି ବଳି ଯାଇଛି । ଦିନକୁ ଦିନ ବାବାଙ୍କ ପୀଠରେ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । କେତେ ବେଳେ ମନ୍ଦିରରୁ ଅମୂଲ୍ୟ ମୂର୍ତ୍ତି ଚୋରି ହେଉଛି ତ କେତେ ବେଳେ ପ୍ରଭୁ ଚନ୍ଦ୍ରଶେଖର ଖାଡା ଉପାସରେ ରହୁଛନ୍ତି । ହେଲେ ଦେବତ୍ତୋର ଅଧିକାରୀ କହୁଛନ୍ତି ସବୁ ଠିକ୍ ଚାଲିଛି ।

କପିଳାସ ପୀଠରେ ଅବ୍ୟବସ୍ଥାକୁ ଦେଖିଲେ, ମନକୁ ପ୍ରଶ୍ନ ଆସୁଛି, କିଏ ହେବ କପିଳାସ ପ୍ରଭୁ ଚନ୍ଦ୍ରଶେଖରଙ୍କ ଶାହା ? । କିଏ ବୁଝିବ ପ୍ରଭୁ ଚନ୍ଦ୍ରଶେଖରଙ୍କ କଥା ? କାହିଁକି ବାରମ୍ବାର ଉପାସ ରହୁଛନ୍ତି ପ୍ରଭୁ ଚନ୍ଦ୍ରଶେଖର ? ନିକଟରେ ବାବା ଉପାସ ରହିବା ଖବର ପ୍ରକାଶ ପାଇବା ପରେ ଭକ୍ତଭ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପ୍ରଥମେ ମନ୍ଦିରର ଅମୂଲ୍ୟ ପାର୍ଶ୍ଵ ମୂର୍ତ୍ତି ଚୋରି ଏବେ ନୀତିକାନ୍ତି ବିଳମ୍ବ ନେଇ ବାରମ୍ବାର ପ୍ରଭୁ ଉପାସ ରହିବା ଖବର ପ୍ରକାଶ ପାଉଛି । ଯାହା କୋଟି କୋଟି ଶିବଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି । ଏତେ ସବୁ ପରେ ବି ଢେଙ୍କାନାଳ ଜିଲ୍ଲା ଦେବତ୍ତୋର ଅଧିକାରୀ କହୁଛନ୍ତି ସବୁ କିଛି ଠିକ୍ ଚାଲିଛି ।

କପିଳାସ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ଓଡ଼ିଶାର ପଞ୍ଚତୀର୍ଥ ଭିତରୁ ଅନ୍ୟତମ । ଏହି ପୀଠ ଦ୍ଵାଦଶ ବୈକୁଣ୍ଠ ଭାବେ ମଧ୍ୟ ମାନ୍ୟତା ପାଇଛି । ଦ୍ଵାଦଶ ଶତାବ୍ଦୀ ପରଠାରୁ ପୀଠର ପୂଜା ନୀତିକାନ୍ତି ଗଜପତି ମହାରାଜଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇ ସେହି ଅନୁଯାୟୀ ଚାଲି ଆସୁଛି । ଏପଟେ ପ୍ରଭୁ ଚନ୍ଦ୍ରଶେଖର ଅମାପ ସମ୍ପତ୍ତିର ମାଲିକ ହୋଇଥିଲେ ବି ପରିଚାଳନା ଗତ ତ୍ରୁଟି ଯୋଗୁଁ ବରମ୍ବାର ଉପାସ ରହୁଥିବା ଅଭିଯୋଗ ହେଉଛି । ହେଲେ ପ୍ରଶାସନ ତ୍ରୁଟି ମାନିବାକୁ ନାରାଜ ।