ଅବ୍ୟବସ୍ଥା ଭିତରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ସରୁନି ମହିଳାଙ୍କ ଯନ୍ତ୍ରଣା

ଭୁବନେଶ୍ବର: ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମଦିନରେ ଏହି ଯୋଜାନାର ଶୁଭାରମ୍ଭ କରିଛନ୍ତି । କିନ୍ତୁ କାର୍ଯ୍ୟକ୍ରମରେ ବିଭ୍ରାଟ କିଛି କମ୍ ନଥିଲା । ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ଯେଉଁ ବିଭ୍ରାଟ, ଆଜି ବି ସେହି ଅବ୍ୟବସ୍ଥା । ସାରା ରାଜ୍ୟରେ ମହିଳା ହନ୍ତସନ୍ତ ହୋଇଛନ୍ତି ।

ସୁଭଦ୍ରା କାର୍ଯ୍ୟକ୍ରମକୁ ଆସି ଝିପିଝିପି ବର୍ଷାରେ ଭିଜିଲେ ଶହ ଶହ ମହିଳା । କାରଣ ବର୍ଷାରୁ ରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା । ବାଧ୍ୟ ହୋଇ ଚେୟାର ରଖି ମୁଣ୍ଡ ଗୁଞ୍ଜିବାକୁ ସେମାନେ ଚେଷ୍ଟା କରିଥିଲେ । ହଟହଟା ହୋଇଥିଲେ ମହିଳା । କଟକ ବାଙ୍କୀ ଡମପଡ଼ାରେ ଅବସ୍ଥା ଖରାପ । ବସିବାକୁ ବି ବ୍ୟବସ୍ଥା କରାଯାଇ ନଥିଲା । କିଏ ଖରାରେ ଠିଆ ହୋଇଥିଲା ତ ଆଉ କିଏ ତଳେ ବସିଥିଲା । ତ ଆଉ କିଏ ଟେଣ୍ଟ ବାଉଁଶ ଉପରେ ବସିବାକୁ ବାଧ୍ୟ ହୋଇଥିଲା । ଏସଏସଜି ମହିଳାଙ୍କୁ ତ ଡାକିଥିଲେ, କିନ୍ତୁ ବସିବା ପାଇଁ ବି ବ୍ୟବସ୍ଥା ହୋଇ ନଥିଲା । ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଦେଖା ଦେଇଥିଲା ଅସନ୍ତୋଷ ।

କେନ୍ଦ୍ରାପଡ଼ା ସାଲେପୁରରେ ପୂରା କାର୍ଯ୍ଯକ୍ରମ ଫ୍ଲପ । ସେଠାରେ ଥିଲେ ହାତ ଗଣତି କିଛି ସରକାରୀ କର୍ମଚାରୀ । ଖାଲି ପଡ଼ିଥିଲା ଚେୟାର । ବହୁ ମହିଳା ମୁହଁ ଫେରାଇ ପଳାଇ ଯାଇଥିଲେ । ଏପରିକି ମୋଦିଙ୍କ ଭାଷଣ ଶୁଣିବାକୁ ସେମାନେ ପ୍ରସ୍ତୁତ ନ ଥିଲେ ।

ଜଗତସିଂହପୁରରେ ମଧ୍ୟ ସେହି  ଅବସ୍ଥା । କାଦୁଅ ପଚ ପଚ ରାସ୍ତାରେ ଆସିଲେ ମହିଳା, ହେଲେ ବସିବାକୁ ମିଳିଲାନି ଚୌକି । ଭୀଷଣ ଖରାରେ ଖାଇବା ଜାଗାରେ ହୋଇଥିଲା ଠେଲାପେଲା । ଏହାକୁ ନେଇ ମହିଳାମାନେ ପ୍ରକାଶ କରିଥିଲେ ଅସନ୍ତୋଷ । ଆଜି ଏମିତି ବହୁ ଜାଗାରେ ଦେଖିବାକୁ ମିଳିଥିଲା ବିଭ୍ରାଟ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ।