ରାଜ୍ୟ ସରକାରଙ୍କ ଭେଳିକି: ଶିବିରରେ ସ୍ଥାନ ନପାଇ ହବିଷ୍ୟାଳିଙ୍କ ବିକ୍ଷୋଭ

ପୁରୀ: ରାଜ୍ଯ ସରକାରଙ୍କ ବଡ଼ ଅବହେଳା । ପୁରୀରେ ହବିଷ୍ୟାଳି ଶିବିରରେ ଘୋର ଅବ୍ଯବସ୍ଥା ଦେଖିବାକୁ ମିଳିଛି ।  ବ୍ରତ ପାଇଁ ଆସି କଲବଲ ହେଉଛନ୍ତି ବ୍ରତଧାରୀ । ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ଯ ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ଆସି ହେଉଛନ୍ତି ହଇରାଣ ହବିଷ୍ଯାଳି । ଅନଲାଇନରେ ଆବେଦନ କରିବା ପରେ ବି ରହିବାକୁ ସୁଯୋଗ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଛନ୍ତି ହବିଷ୍ଯାଳି ।

ଅଭିଯୋଗ ଅନୁସାରେ, ହବିଷ୍ଯାଳି ଶିବିରରେ ରହିବାକୁ ବ୍ରତଧାରୀମାନେ ଅନଲାଇନରେ ଆବେଦନ କରିଛନ୍ତି । ବ୍ରତ କରିବାକୁ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପୁରୀରେ ପହଞ୍ଚିଛନ୍ତି । ହେଲେ ଶିବିରରେ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳୁନାହିଁ । ଚଳିତବର୍ଷ ରାଜ୍ଯ ସରକାର କେବଳ ୨୫ ଶହ ହବିଷ୍ଯାଳିଙ୍କ ପାଇଁ ବ୍ଯବସ୍ଥା କରିଛନ୍ତି । ଏଣୁ ଅନେକ ଆବେଦନକୁ ଖାରଜ କରିଦେଇଛନ୍ତି । ମାତ୍ର ଏନେଇ ଆବେଦନକାରୀଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ଫଳରେ ପୁରୀକୁ ଆସି ହଇରାଣ ହେଉଛନ୍ତି ହବିଷ୍ଯାଳି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ବୃନ୍ଦାବତୀ ନିବାସ ଆଗରେ ହବିଷ୍ଯାଳି ମାନେ ଧାରଣା ଦେଇଛନ୍ତି ।

ପୁରୀରେ ରହି ମାଗଣାରେ ହବିଷ କରିବାକୁ ବିଜେଡି ସରକାର ଆରମ୍ଭ କରିଥିଲେ ହବିଷ୍ଯାଳି ଯୋଜନା । ଗତବର୍ଷ ଯୋଜନାରେ ୩୨ ଶହରୁ ଅଧିକ ବ୍ରତଧାରୀ ପୁରୀରେ ରହି ସେବା ପାଇଥିଲେ । ଚଳିତବର୍ଷ ସଂଖ୍ଯା ବୃଦ୍ଧି ବଦଳରେ ବିଜେପି ସରକାର ଏହାକୁ ୨୫ ଶହକୁ କମାଇ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସଂଖ୍ୟା ବଢାଇବା ବଦଳରେ କାହିଁକି କମାଇଲେ ନୂଆ ସରକାର ? ଯଦି ଆବେଦନକାରୀଙ୍କ ଆବେଦନ ଖାରଜ କରାଗଲା ସେମାନଙ୍କୁ ସୂଚନା ଦିଆଗଲାନି କେମିତି ? ଆବେଦନ ଖାରଜ ହୋଇଥିଲେ ଆବେଦନକାରୀ ଜାଣିବେ କେମିତି ? ଏବେ ଦୂରଦୂରନ୍ତରୁ ଆସିଥିବା ହବିଷ୍ଯାଳୀ କରିବେ କ’ଣ, ରହିବେ କେଉଁଠି ତାହାର ଉତ୍ତର କିଏ ଦେବ ?