ପୁରୀ ଆସି ହବିଷ୍ଯାଳି ହିନସ୍ତା; ଶିବିରରେ ମିଳିଲାନି ପ୍ରବେଶ ଅନୁମତି, ସରକାରଙ୍କ ଅପାରଗତାକୁ ସବୁ ମହଲରେ ନିନ୍ଦା

ପୁରୀ: ପୁରୀରେ କଲବଲ ହବିଷ୍ଯାଳି । ମହାକାର୍ତ୍ତିକ ବ୍ରତ ପାଳନ କରିବାକୁ ଆସି ରାସ୍ତାରେ ବସିଛନ୍ତି ଶହ ଶହ ବ୍ରତଧାରୀ । ହବିଷ୍ଯାଳି ଯୋଜନାରେ ଆବେଦନ କରିଥିଲେ ମଧ୍ଯ ଶିବିରରେ ମିଳୁନି ପ୍ରବେଶ ଅନୁମତି । ଚଳିତଥର ମାତ୍ର ୨୫ ଶହ ଜଣଙ୍କ ପାଇଁ ରାଜ୍ଯ ସରକାର ବ୍ଯବସ୍ଥା କରିଥିବାରୁ ବିଭିନ୍ନ ପ୍ରାନ୍ତରୁ ହବିଷ୍ଯାଳି ପୁରୀ ଆସି ନିରାଶ ହୋଇଛନ୍ତି । ପ୍ରଶ୍ନ କରିଛନ୍ତି, ଆବେଦନକୁ ଯଦି ଅଯୋଗ୍ଯ ଘୋଷିତ କରାଗଲା ତେବେ କାହିଁକି ଆଗୁଆ ସୂଚନା ଦିଆଗଲାନି । ଏପଟେ ସାଂଘାତିକ ଅବ୍ଯବସ୍ଥାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜେଡି ।

କିଏ ନୂଆପଡ଼ାରୁ ଆସିଛି ତ ଆଉ କିଏ କେନ୍ଦୁଝରରୁ । ସଜସାମନ ଧରି ଶ୍ରୀକ୍ଷେତ୍ର ଛୁଟି ଆସିଛନ୍ତି ଖାଲି ସେଇ କାଳିଆ ସକାଶେ । ମାସେ ଧରି ପବିତ୍ର ଧାମରେ ରହିବେ, ପବିତ୍ର କାର୍ତ୍ତିକ ବ୍ରତ ପାଳିବେ । ସାଆଁନ୍ତେଙ୍କ ଭକ୍ତିରେ ଟିକେ ନିମଗ୍ନ ହେବେ । ହେଲେ ଏଠି ଆସି ପହଞ୍ଚିଲା ବେଳକୁ ସବୁ ଓଲଟା । କାହାକୁ ଗେଟ୍ ଭିତରକୁ ଯିବାକୁ ଦିଆଯାଉନି ତ ଆଉ କାହାକୁ ଧକ୍କିଆ ମରାଯାଉଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଗେଟ୍ ଆଗରେ ଠିଆ ହୋଇ ହୋଇ ଗୋଡ ବଧିରା ପଡ଼ିଯାଉଛି, ହେଲେ ହବିଷ କରିବାକୁ ହବିଷ୍ୟାଳି ଶିବିରରେ ଜାଗା ଟିକେ ବି ମିଳୁନି । କାରଣ ଏଥର ନୂଆ ସରକାରଙ୍କ ୨୫ ଶହ କୋଟା ପୂରଣ ହୋଇସାରିଛି । ମହାକାର୍ତ୍ତିକ ଆରମ୍ଭ ଆଗରୁ ବହୁଚର୍ଚ୍ଚିତ ହବିଷ୍ୟାଳି ଯୋଜନାରେ ଦେଖିବାକୁ ମିଳିଛି ଏଭଳି ସଂଗୀନ ଅବ୍ଯବସ୍ଥା । ମାତ୍ର ୨୫ ଶହ ହିତାଧିକାରୀଙ୍କ ପାଇଁ ରାଜ୍ଯ ସରକାର ବ୍ଯବସ୍ଥା କରିଥିବାବେଳେ ଶହ ଶହଙ୍କୁ ବାଦ୍ ଦିଆଯାଇଛି । ମାତ୍ର ଏନେଇ କାହାକୁ ଅବଗତ କରାଯାଇ ନଥିବାରୁ ପୁରୀକୁ ଆସି ହଇରାଣ ହରକତ ହେଉଛନ୍ତି ହବିଷ୍ଯାଳି । ଯେଉଁଥି ପାଇଁ ବୃନ୍ଦାବତୀ ନିବାସ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ହବିଷ୍ୟାଳି ।

ଚଳିତବର୍ଷ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା ହବିଷ୍ଯାଳି ଯୋଜନା ଆବେଦନ । ଏଥର ମୋଟ ୩ ହଜାର ୬୫୦ ଜଣ ପଞ୍ଜିକରଣ କରିଥିବା ବେଳେ ସରକାରଙ୍କ ଟାର୍ଗେଟ ରହିଛି ମାତ୍ର ୨୫୦୦ । ଏଣୁ ବାଦ ପଡ଼ିଥିବା ହିତାଧିକାରୀ ଘରକୁ ଫେରିଯିବାକୁ କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ । ତେବେ ଆବେଦନ ଖାରଜ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ ଆଣି ପ୍ରବଳ ବର୍ଷିଛନ୍ତି ବ୍ରତଧାରୀ । ଏପଟେ ବ୍ଯାପକ ଅବ୍ଯବସ୍ଥାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜେଡି ।

୨୦୧୬ରେ ହବିଷ୍ଯାଳି ଯୋଜନା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ବ୍ରତଧାରୀଙ୍କ ପାଇଁ ମାଗଣାରେ ରହିବା ସହ ମହାପ୍ରସାଦ ସେବନ ଓ ପୂଜାପାଠର ବ୍ୟବସ୍ଥା କରାଯାଉଥିଲା । ବିଗତ ବର୍ଷମାନଙ୍କରେ ୩୨ ଶହରୁ ଅଧିକ ହବିଷ୍ଯାଳି ଯୋଜନାରେ ଉପକୃତ ହେଉଥିଲେ । ହେଲେ ଚଳିତବର୍ଷ ବିଜେପି ସରକାର ସଂଖ୍ଯା ହ୍ରାସ କରିଥିବାରୁ ହବିଷ୍ଯାଳୀମାନେ ହଇରାଣ ହେଉଛନ୍ତି । ବ୍ରତଧାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ କାମକୁ ମନେ ପକାଇ ଝୁରି ହେଉଛନ୍ତି ।