ବାଚସ୍ପତିଙ୍କୁ ଅସମ୍ମାନ: ସାରା ରାଜ୍ୟରେ ବିଜେପି ବିଧାୟକଙ୍କୁ ବିରୋଧ
କଟକ: ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ । କଟକରେ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ବିରୋଧ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଛି ପଦଯାତ୍ରା । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
କେବଳ କଟକ ନୁହେଁ ରାଜଧାନୀ ଭୁବନେଶ୍ବର ଓ ବ୍ରହ୍ମପୁରରେ ବଧ୍ୟ ବିଜେପି ବିଧାୟଙ୍କୁ ବିରୋଧ । ଭୁବନେଶ୍ବରରେ ଦଳିତ ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ବ୍ରହ୍ମପୁରରେ ମଧ୍ୟ ଦଳିତ ମହାସଂଘ ପକ୍ଷରୁ ବିଜେପି ବିଧାୟକଙ୍କ ବିରୋଧରେ ତୀବ୍ର ପ୍ରତିବାଦ ।
ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ମହିଳା ଭାବେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମହିଳା ସଶକ୍ତିକରଣକୁ ଗ୍ରହଣ କରିପାରୁନାହିଁ ବିଜେପି । ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କୁ ଅସମ୍ମାନ କରି ବିଜେପି କଳା ଅଧ୍ୟାୟ ସୃଷ୍ଟି କରିଛି । ମହିଳାମାନେ କହିଛନ୍ତି ଗୋଟିଏ ପଟେ କେନ୍ଦ୍ର ସରକାର ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ସଂରକ୍ଷଣ ବିଲକୁ ପାସ କରାଇଛନ୍ତି ହେଲେ ରାଜ୍ୟରେ ବିଜେପି ବିଧାୟକ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି । ଏଭଳି ଆଚରଣ ପାଇଁ ଦୁଇ ବିଜେପି ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।
ସେହିପରି ଗତକାଲି ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇଥିଲା ମହିଳା ବିଜୁ ଜନତା ଦଳ । ହଜାର ହଜାର ମହିଳା ମହମବତୀ ଶୋଭାଯାତ୍ରା କରି ବିଜେପି ବିଧାୟକଙ୍କ ଆଚରଣକୁ ନିନ୍ଦା କରିଥିଲେ । ଗୃହର ଗରିମା ଭାଙ୍ଗି ମହିଳା ବାଚସ୍ପତିଙ୍କୁ ଯେଭଳି ଭାବରେ ଦୁଇ ବିଜେପି ବିଧାୟକ ଅସମ୍ମାନ କଲେ ତାହାକୁ ନିନ୍ଦା କରିଛି ବିଜେଡି । ହଜାର ହଜାର ମହିଳା ଏକତ୍ରିତ ହୋଇ ବିଜେପିର ଏଭଳି ଘୃଣ୍ୟ ଆଚରଣକୁ ସମାଲୋଚନା କରିଥିଲେ ।