ମଙ୍ଗୁ ନାହାନ୍ତି ଅବୁଝା; ରାଜ୍ୟ ବିଜେପି ମୁଖିଆଙ୍କ ନାଁରେ ବାଜି ପାରୁନି ମୋହର

ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ଚାଲିଛି ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ହେଲେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଡେଡଲାଇନ ସରିବା ପରେ ବି ଚୂଡ଼ାନ୍ତ ହୋଇପାରୁନି ତାଲିକା । ଜିଲ୍ଲାସ୍ତରରେ ବିବାଦ ତୁଟୁ ନଥିବାରୁ ସଭାପତିଙ୍କ ନାମରେ ମୋହର ବାଜିପାରୁନି । ଜାନୁଆରୀ ୧୦ ସୁଦ୍ଧା ଜିଲ୍ଲା ସଭାପତି ଓ ୧୫ ସୁଦ୍ଧା ରାଜ୍ୟ ସଭାପତି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଯାହା ଫେଲ୍ ମାରିଛି । ଅବୁଝାଙ୍କୁ ମନାଇବାକୁ ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି ଘନ ଘନ ବୈଠକ ।
କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ମୁଖିଆ ? କିଏ ସମ୍ଭାଳିବେ ଜିଲ୍ଲା ଦାୟିତ୍ବ ? ସରକାରୀ ଦଳ ହିସାବରେ ସାଙ୍ଗଠନିକ ମୁଖ୍ୟଙ୍କ ଗୁରୁତ୍ବ ବଢିଥିବାରୁ ପଦ ପଦବୀ ପାଇଁ ଚାଲିଛି ଅଙ୍କକଷା । ତୃଣମୂଳ ସ୍ତରରେ ଦଳ ଭିତରେ ବିଦ୍ରୋହ ଉଗ୍ରରୂପ ନେଇଥିବାରୁ ଚୂଡ଼ାନ୍ତ ହୋଇପାରୁନି ଜିଲ୍ଲା ସଭାପତିଙ୍କ ତାଲିକା । ପୁରୁଣା ବିଜେପି ଓ ନୂଆ ବିଜେପି ମଧ୍ୟରେ ଟଣାଓଟରା ସାଙ୍ଗକୁ ଗୋଷ୍ଠୀବାଦର ଆଧିପତ୍ୟ ପାଇଁ ବିଦ୍ରୋହ ବଢୁଛି ।
ଜାନୁଆରୀ ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଓ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚିତ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି କନ୍ଦଳ ଯୋଗୁଁ ହୋଇପାରୁନି ନିଷ୍ପତ୍ତି । ଗଞ୍ଜାମ, ନୟାଗଡ଼, ଭଦ୍ରକ, କଟକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଜିଲ୍ଲା ସଭାପତି ପାଇଁ ଏକାଧିକ ନେତା ଆଶାୟୀ ଥିବାରୁ ସହମତି ହୋଇପାରୁନାହିଁ । ବିଜେପି ନିଜ ଦଳର ବିଦ୍ରୋହ ଲୁଚାଇବା ପାଇଁ ଅନ୍ୟ ଦଳ ଆଡ଼କୁ ଇଙ୍ଗିତ କରୁଛି ବୋଲି ବିଜେଡ଼ି କହିଛି । ତେବେ ଦୁଇ ଚାରିଦିନ ମଧ୍ୟରେ ଜିଲ୍ଲା ସଭାପତି ଚୂଡ଼ାନ୍ତ ହେବେ ବୋଲି କହିଛି ବିଜେପି ।
ସେପଟେ ବିଜେପିର ବୃଦ୍ଧି ଘଟୁଥିବାରୁ ଲୋକଙ୍କ ଆଶା ବଢୁଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦୀୟ କାର୍ଯ୍ୟ ଯୋଗୁଁ ପ୍ରକ୍ରିୟା ବିଳମ୍ବ ହୋଇଛି । ଜିଲ୍ଲା ସଭାପତି ପାଇଁ ଏକାଧିକ ପ୍ରାର୍ଥିପତ୍ରକୁ ସ୍ବୀକାର କରିବା ସହ ଏବେ କାଗଜପତ୍ର ଯାଞ୍ଚ ଚାଲିଛି ବୋଲି କହିଛନନ୍ତି ସାଂସଦ । ଜିଲ୍ଲା ସଭାପତିକୁ ନେଇ ରହିଥିବା ଦ୍ବନ୍ଦ୍ବ ଉପରେ କୌଣସି ନେତା ଗଣମାଧ୍ୟମରେ କିଛି ନ କହିବାକୁ ଏକ ପ୍ରକାର ଫତଓ୍ବା ଜାରି ହୋଇଛି । ଦଳ ଭିତରେ ଥିବା ଅସନ୍ତୋଷକୁ ଚାପି ଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସବୁ କିଛି ସହମତି ଭିତ୍ତିରେ ଚାଲିଛି ବୋଲି ନେତା କହୁଛନ୍ତି ।
ଜାନୁଆରୀ ଶେଷ ସୁଦ୍ଧା ଜିଲ୍ଲା ସଭାପତି ସହ ରାଜ୍ୟ ସଭାପତି ଚୂଡ଼ାନ୍ତ ହେବ । ତେବେ ରାଜ୍ୟ ସଭାପତି ପୂର୍ବରୁ ଜିଲ୍ଲା ସଭାପତି ପାଇଁ ଦୌଡ଼ରେ ଆଶାୟୀ ଅନେକ ଥିବାରୁ ଏମାନଙ୍କୁ ମନାଇବା ବିଜେପି ନେତୃତ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।