ଥମୁନି ଯାତ୍ରା କଳାକାର ଓ ମାଲିକ ସଂଘ କଳି: ପାର୍ବତୀ ଗଣନାଟ୍ୟ ମାଲିକ ପବିତ୍ର ପାତ୍ରଙ୍କୁ ଅଭିନେତା ବାପି ପଣ୍ଡାଙ୍କ ଜବାବ

ଭୁବନେଶ୍ବର: ରାଜଧାନୀ ଓ ପାର୍ବତୀ ଗଣନାଟ୍ୟ ମାଲିକ ପବିତ୍ର ପାତ୍ର କଳାକାର ଓ କର୍ମଚାରୀଙ୍କୁ ଦେଉନାହାଁନ୍ତି ଦରମା କି ପାରିଶ୍ରମିକ । ଯାହାକୁ ନେଇ କାଳାକାର ସଂଘ କ୍ଷୁବ୍ଧ । ଚୋରି ଉପରେ ସିନାଜୋରି ଭଳି କଳାକାରଙ୍କ ପାରିଶ୍ରମିକ ନଦେଇ କ୍ଷମା ମାଗିବାକୁ ଧମକ ଦେଉଛନ୍ତି ପବିତ୍ର । ବର୍ଷ ବର୍ଷ ଧରି ଅଭିନେତା ଓ ଅଭିନେତ୍ରୀଙ୍କ ପାଉଣା ତ ଦେଉ ନାହାନ୍ତି, ଓଲଟି ସେମାନଙ୍କ କ୍ୟାରିୟର ନଷ୍ଟ କରିଦେବାର ଧମକ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ସେପଟେ ମାଲିକମାନେ କଳାକାରଙ୍କୁ ମୂଲିଆ ନଭାବି ଉଚିତ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ।
କଳାକାରଙ୍କୁ ମୂଲିଆ ଭାବୁଛନ୍ତି କି ଯାତ୍ରାପାର୍ଟି ମାଲିକ ପବିତ୍ର ପାତ୍ର ? ବର୍ଷ ବର୍ଷ ଧରି ପାଉଣା ନଦେଇ ଓଲଟି କ୍ୟାରିୟର ବରବାଦ କରିଦେବାକୁ ଦେଉଛନ୍ତି ଚେତାବନୀ । ଆପତ୍ତି କରିବାରୁ କ୍ଷମା ମାଗିବାକୁ ଦେଉଛନ୍ତି ଧମକ । ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ମାଲିକ ପବିତ୍ର ପାତ୍ରଙ୍କ ବିବାଦୀୟ ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ମାଲିକ ଓ କଳାକାର । କଳାକାର ସଂଘ ସାଥି କଳାକାରଙ୍କ ସମସ୍ୟାକୁ ନେଇ ସ୍ବର ଉଠାଉଥିବା ବେଳେ ପବିତ୍ର ପାତ୍ରଙ୍କ ହାମବଡା ନୀତି ଯୋଗୁଁ ତୀବ୍ର ହୋଇଛି ବିବାଦ । ତିନି ଚାରି ବର୍ଷ ଧରି କଳାକାର ଓ କର୍ମଚାରୀଙ୍କ ପାଉଣା ଓ ପାରିଶ୍ରମିକ ଦେଉନାହାଁନ୍ତି ପବିତ୍ର ପାତ୍ର । କଳାକାରଙ୍କୁ ହତାଦର କରି ଓଲଟି କ୍ଷମା ମାଗିବାକୁ ଧମକ ଦିଆଯାଉଛି । ପବିତ୍ର ପାତ୍ର ଓ ତାଙ୍କ ମ୍ୟାନେଜରଙ୍କ ଧମକର ଜବାବ ଦେଇଛନ୍ତି ଯାତ୍ରା କଳାକାର ମହାସଂଘର ମୁଖ୍ୟ ଉପଦେଷ୍ଟା ବାପି ପଣ୍ଡା ।
ଯାତ୍ରା ଜଗତ ଖଣି କି ତେଲ, ପଥର ବେପାର ନୁହେଁ । ଯାତ୍ରା ମାଲିକ, କଳାକାର, ନିର୍ଦ୍ଦେଶକ ଓ ଲେଖକ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଦରକାର । ପୂର୍ବରୁ ଯାତ୍ରାରେ କଳାକାର ଓ ମାଲିକମାନଙ୍କ ମଧରେ ଶୃଙ୍ଖଳା ଥିଲା । ଏବେ ଯାତ୍ରା ବଦଳି ଯାଇଛି । ଭଲ ବ୍ୟବସାୟ ହେଉଛି କିନ୍ତୁ ବିଶୃଙ୍ଖଳା ବଢିଛି । ମାଲିକମାନେ କେବଳ ଯାତ୍ରାକୁ ମନୋରଞ୍ଜନ ଭାବନ୍ତୁ ନାହିଁ । ମାଲିକମାନେ କଳାକାରଙ୍କୁ ସମ୍ମାନ ଦିଅନ୍ତୁ । କିଛି ମାଲିକ କଳାକାରମାନଙ୍କୁ ମୂଲିଆ ଭାବୁଛନ୍ତି । ଯାତ୍ରାକୁ ବଞ୍ଚାଇବାକୁ ହେଲେ ସଂଯତ ହେବା ଦରକାର ବୋଲି କହିଛନ୍ତି ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ।
ବିଶେଷଜ୍ଞଙ୍କ ମତରେ କଳାକାରଙ୍କ ପାଇଁ ଜଲିଉଡ ପରିଚୟ ପାଉଛି ଓ ମାଲିକମାନେ ରୋଜଗାର କରୁଛନ୍ତି । ଏପରିକି କିଛି କଳାକାର ଚାହିଁଲେ ପାର୍ଟି ଗଢିପାରିବେ । କିନ୍ତୁ ପବିତ୍ର ପାତ୍ରଙ୍କ ଭଳି ଫ୍ଲପ ମାଲିକ କଳାକାରଙ୍କୁ ହତାଦର କରି ସେମାନଙ୍କୁ ପାଉଣା ଦେଉନଥିବାରୁ ଯାତ୍ରା ଜଗତ ନିନ୍ଦିତ ହେଉଛି । ଏହାର ସମାଧାନ ହେବ ଜରୁରୀ ।