ଏସସିବିରେ ହାଉସ ସର୍ଜନ ଓ ସେବିକା ସଂଘ ବିବାଦ ତୁଟିଲା

କଟକ: ଏସସିବିରେ ହାଉସ ସର୍ଜନ ଓ ସେବିକା ସଂଘ ମଧ୍ୟରେ ଦେଖା ଦେଇଥିବା ବିବାଦ ତୁଟିଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇଛି । ସିଏମସି କମିଶନର ବିଜୟ ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଏସସିବିରେ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ହାଉସ ସର୍ଜନ ସଂଘ ସହିତ ସେବିକା ସଂଘର ନେତୃମଣ୍ଡଳୀ ଯୋଗ ଦେଇଥିଲେ । ରେସିଡେଣ୍ଟ ଡାକ୍ତର ସଂଘ, ଜୁନିୟର ଡାକ୍ତର ସଂଘ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଡିନ୍ ଡାକ୍ତର ପ୍ରସନ୍ନଜିତ ମହାନ୍ତି, ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସକ ଡାକ୍ତର ଅବିନାଶ ରାଉତ, ଡାକ୍ତର ଜୟନ୍ତ ପଣ୍ଡା, ଡାକ୍ତର ସାରଦା ସ୍ୱାଇଁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ସମସ୍ତ ବାଦ ବିବାଦ ଭୁଲି ରୋଗୀ ଚିକିତ୍ସାକୁ ଗୁରୁତ୍ବ ଦେବାକୁ ଉଭୟ ସଂଘକୁ ପରାମର୍ଶ ଦିଆଯାଇଛି । ପରାମର୍ଶକୁ ଗ୍ରହଣ କରି ଆନ୍ଦୋଳନରୁ ଓହରିବା ସହିତ ସବୁ କାର୍ଯ୍ୟରେ ଯୋଗ ଦେବାକୁ ସଂଘ କହିଥିବା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଉଭୟ ସଂଘ ଏନେଇ କୌଣସି ଲିଖିତ ସୂଚନା ଦେଇନାହାନ୍ତି ।